ପଞ୍ଚକ ଦ୍ବିତୀୟ ଦିନ: ଶ୍ରୀଜିଉଙ୍କ ବାଙ୍କଚୂଡ଼ ବେଶ, ଶ୍ରୀମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ (ଭାସ୍କର ନ୍ୟୁଜ୍): ପଞ୍ଚକ ଦ୍ବିତୀୟ ଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବାଙ୍କଚୂଡ଼ ବେଶ ନୀତି ଅନୁଷ୍ଠିତ ହେବ । ବିବିଧ ସ୍ୱର୍ଣ୍ଣ ଅଳଙ୍କାର ଓ ଅସ୍ତ୍ରାଦି ସମେତ ଏହି ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଆଡ଼କୁ ଖୋସା(ବେଣୀ) ପଡ଼େ ଲଗି ହେବ । ଏହାର ଅଗ୍ରଗଣ୍ଠିରେ ସୁବର୍ଣ୍ଣ କିଆ ଖଞ୍ଜାଯାଇଥାଏ ଏବଂ ଦୁଇ ଠାକୁରଙ୍କ କପାଳର ଶୀର୍ଷଭାଗରେ ଗୋଟିଏ ଲେଖାଏଁ ଛୋଟ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ।

ଦ୍ୱାଦଶୀ ତିଥିରେ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଛି । ସୋମବାର ହେଉଛି ପଞ୍ଚୁକର ପ୍ରଥମ ଦିନ ବା ହରିଉତ୍‌ଥାପନ ଏକାଦଶୀ । ଏହି ଅବସରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ସେମାନେ ଏହି ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।  ତେବେ ମଙ୍ଗଳବାର ଦ୍ୱାଦଶୀରେ ବାଙ୍କଚୂଡ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ । ସେହିପରି ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଅନୁମତି ପ୍ରଦାନ କରାଯାଇଛି । ତେବେ ପଞ୍ଚୁକର ଶେଷ ଦିନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଏହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାରୋହକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।