fbpx

ଆରମ୍ଭ ହେଲା ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା କରିବେ । ଆଜି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ତେବେ ଚଳିତ ବର୍ଷ ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି । ଏଥର ମହାପ୍ରଭୁ ବଡ଼ଦାଣ୍ଡରେ ଯିବାବେଳେ ତାଙ୍କୁ ଆଉ ଚାହିଁବାକୁ କେହି ରହିବେନି । କାରଣ ଭକ୍ତମାନଙ୍କୁ ବଡ଼ଦାଣ୍ଡ ମନା । ଭକ୍ତମାନେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଚକ୍ରରାଜ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି । ଧାଡ଼ି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ରତ୍ନବେଦୀରୁ ରଥକୁ ଆଣୁଛନ୍ତି । ବଳଭଦ୍ରଙ୍କ ଝୁଲିଝୁଲି ଆସିବାର ଦୃଶ୍ୟ ସଭିଙ୍କୁ ବିମୋହିତ କରୁଛି । ବଡ଼ଭାଇଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହେବ । ଘୋଷଯାତ୍ରାରେ ଧାଡ଼ି ପହଣ୍ଡି ଓ ଗୋଟି ପହଣ୍ଡି ଦୁଇ ପ୍ରକାର ପହଣ୍ଡି କରାଯାଇଥାଏ । ସ୍ନାନଯାତ୍ରା ସମୟରେ ତିନି ଠାକୁରଙ୍କୁ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଧାଡ଼ି ପହଣ୍ଡି କୁହାଯାଏ । ସେହିପରି ରଥଯାତ୍ରା ସମୟରେ ତିନି ଠାକୁରଙ୍କୁ ରତ୍ନବେଦୀରୁ ରଥକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଗୋଟି ପହଣ୍ଡି କୁହାଯାଏ ।

Get real time updates directly on you device, subscribe now.