fbpx
BJD SKY
BJD SKY

ବାଲକନାଥ ଯୋଗୀ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ଲେଟରହେଡରେ ଭାଇରାଲ ହେଉଛି ଏକ ଚିଠି, ଏହା କେତେ ସତ

BJD

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ନିକଟରେ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି । ବିଶେଷ କରି ବିଜେପି ବହୁମତ ହାସଲ କରିଥିବା ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ହାଇକମାଣ୍ଡ ଅଙ୍କ କଷୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ମହନ୍ତ ବାଲକନାଥ ଯୋଗୀ ମୁଖ୍ୟମନ୍ତ୍ରୀ, କିରୋଡ଼ୀ ଲାଲ ମୀଣା ଓ ଦିୟା କୁମାରୀ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ । ବିଜେପି ଲେଟରହେଡରେ ଏପରି କିଛି ଫର୍ଜି ଚିଠି ଭାଇରାଲ ହେବାରେ ଲାଗିଛି । ତେଣୁ ଏହି ଖବରଟି କେତେଦୂର ସତ ସେନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହି ଭାଇରାଲ ନକଲି ଚିଠିକୁ ନେଇ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ରାଜସ୍ଥାନ ବିଜେପି ପକ୍ଷରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଟ୍ୱିଟ୍ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପାଖାପାଖି ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଦ୍ୱିତୀୟ ବୈଠକରେ ସାମିଲ ହୋଇଥିଲେ । ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା କୁହାଯାଉଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ମୋଟ ୧୯୯ଟି ଆସନ ମଧ୍ୟରୁ ବିଜେପି ୧୧୫ଟିରେ ଜିତି ବହୁମତ ହାସଲ କରିଥିବା ବେଳେ କଂଗ୍ରେସ ୬୯ଟିରେ ଜିତି କ୍ଷମତାଚ୍ୟୁତ ହୋଇଥିଲା ।

 

Get real time updates directly on you device, subscribe now.