fbpx

ଟ୍ରେନ ଟ୍ରାଜେଡି: ଶୁଆଇ ଦେଉନି ଭୟଙ୍କର ଦୁର୍ଘଟଣା-କିଏ କାନ୍ଦୁଛି, କିଏ ହସୁଛି…’ମେଣ୍ଟାଲ ଡିସଅର୍ଡର’ର ଶିକାର ହେଉଛନ୍ତି ଆହତ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଶହ ଶହ ଜୀବନ ଯାଇଛି । ଅନେକ ଲୋକ ଆହତ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ଭିତରେ ଆଉ ଏକ ସାଂଘାତିକ ଖବର ଏବେ ସାମନାକୁ ଆସିଛି । ଦୁର୍ଘଟଣାରେ ଆହତ କିଛି ଯାତ୍ରୀଙ୍କ ମାନସିକ ଅବସ୍ଥା ସ୍ଥିର ନଥିବା ଜାଣିବାକୁ ମିଳିଛି । ଦୁର୍ଘଟଣା ପରେ କିଛି ଆହତ ଯାତ୍ରୀ ଅଜବ ପ୍ରକାରର କାର୍ଯ୍ୟକଳାପ କରୁଥିବା ଦେଖାଯାଇଛି । ତେଣୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଥିବା ବେଳେ ବିଶେଷଜ୍ଞ ଟିମ୍ କାଉନ୍ସିଲିଂ କରୁଛି ।

train

ଡାକ୍ତରଙ୍କ କହିବା ଅନୁସାରେ, କରମଣ୍ଡଳ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ କିଛି ଯାତ୍ରୀ ଅଦ୍ଭୁତ କାର୍ଯ୍ୟକଳାପ କରୁଛନ୍ତି । କଟକ SCB ମେଡିକାଲରେ ଚିକିତ୍ସିତ ହେଉଥିବା ୧୦୫ ଆହତଙ୍କ ମଧ୍ୟରେ ୪୦ ଜଣଙ୍କ ପାଖରେ ‘ମେଣ୍ଟାଲ ଡିସଅର୍ଡର’ ଭଳି ସମସ୍ୟା ଦେଖାଦେଇଛି । ଏହାକୁ ପୋଷ୍ଟ-ଟ୍ରାମେଟିକ ଷ୍ଟ୍ରେସ ଡିସଅର୍ଡର ବୋଲି କୁହାଯାଏ । ଏମାନଙ୍କ ମନରୁ ସେହି ରାତିର ଟ୍ରିପଲ ଟ୍ରେନ ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ ଏପର୍ଯ୍ୟନ୍ତ ଲିଭିନି । ତାଙ୍କ ମୁଣ୍ଡରେ ଏବଂ ମନରେ କାଳରାତ୍ରିର ପ୍ରତିଟି ଛବି ଉଙ୍କି ମାରୁଛି । ସେଥିପାଇଁ ସେମାନଙ୍କ ଭିତରୁ କିଛି ଆହତ ଆପେ ଆପେ ହସୁଛନ୍ତି ତ ଆଉ କିଛି ବିନା କାରଣରେ କାନ୍ଦି ପକାଉଛନ୍ତି ।

train

ଡାକ୍ତର କହିଛନ୍ତି ଯେ, ଏହି ରୋଗୀମାନଙ୍କୁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ସ୍ୱପ୍ନରେ ଆସୁଛି, ଯେଉଁଥିପାଇଁ ଭୟରେ ସେମାନେ ହଠାତ୍ ଉଠି ପଡୁଛନ୍ତି । ଅଧିକାଂଶ ରୋଗୀ ଏଥିପାଇଁ ଶାନ୍ତିରେ ଶୋଇ ପାରୁନାହାନ୍ତି, ଆଖି ବନ୍ଦ କରିବା ପାଇଁ ଡରି ଯାଉଛନ୍ତି ଏହି ଆହତ ଯାତ୍ରୀ । ଏମିତିକି କିଛି ଆହତ ନିଦରେ ସେମାନଙ୍କ ସାଙ୍ଗସାଥୀଙ୍କୁ ଡାକୁଥିବା ମଧ୍ୟ ଶୁଣାଯାଇଛି । କେତେବେଳେ କେହି କେହି ସମ୍ପୂର୍ଣ୍ଣ ଚୁପ ହୋଇ ଯାଉଛନ୍ତି ତ ଆଉ କିଏ ବଡ ପାଟି କରି ଚିଲାଇବାରେ ଲାଗିଛି । ଭୟଙ୍କର କରମଣ୍ଡଳ ଦୁର୍ଘଟଣା ଏହି ୪୦ ଜଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରି ଦେଇଛି । ତେବେ ଏହାପରେ ସମସ୍ତ ରୋଗୀଙ୍କ କାଉନ୍ସିଲିଂ କରି ସେମାନଙ୍କ ମନରୁ ସେଦିନର ରାତିର ସେହି ଭୟକୁ ଦୂର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

train

କ୍ଲିନିକାଲ ସାଇକୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ଯଶୋବନ୍ତ ମହାପାତ୍ର କହିଛନ୍ତି ଯେ, ଦୁର୍ଘଟଣାରେ ଆହତ ଲୋକଙ୍କ ମାନସିକ ସ୍ଥିତିକୁ ପରଖିବା ପାଇଁ ସେମାନଙ୍କ କାଉନ୍ସିଲିଙ୍ଗ କରାଯାଉଛି । ଆହତଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୪ଟି ସ୍ୱତନ୍ତ୍ର ଟିମ୍ ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ତେବେ ଏଭଳି ଏକ ଦୁର୍ଘଟଣାକୁ ଖୁବ ପାଖରୁ ଦେଖିବା ପରେ ମାନସିକ ସ୍ତରରେ ପ୍ରଭାବ ପଡିବା ଏକ ସ୍ୱାଭାବିକ କଥା ।

Get real time updates directly on you device, subscribe now.