ଗଙ୍ଗାରେ ବୁଡ଼ ପକାଇ ଘରକୁ ଫେରୁଥିଲେ, ବସ୍ ଦୁର୍ଘଟଣାରେ ଚଲିଗଲା ୧୧ ଯାତ୍ରୀଙ୍କ ଜୀବନ, ୨୫ ଆହତ

ଦୁର୍ଘଟଣା ନେଲା ୧୧ ଜୀବନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

ଶୁକ୍ରବାର ସକାଳେ ବର୍ଦ୍ଧମାନରୁ ଦୁର୍ଗାପୁର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଜାତୀୟ ରାଜପଥ ୧୯ର ନାଲା ଫେରି ଘାଟରେ ଏକ ଠିଆ ହୋଇଥିବା ଟ୍ରାକ୍ଟରର ପଛ ପାର୍ଶ୍ୱକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ବର୍ଦ୍ଧମାନ ମେଡିକାଲ କଲେଜ ଅଧୀକ୍ଷକ ତପୋଷ ଘୋଷ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ବସ୍‌ରେ ଥିବା ସମସ୍ତ ଯାତ୍ରୀ ବିହାରର ବାସିନ୍ଦା ଥିଲେ। ସମସ୍ତେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇ ବସ୍‌ରେ ଘରକୁ ଫେରୁଥିଲେ। ବସ୍‌ରେ ୬ ଜଣ ପିଲାଙ୍କ ସମେତ ୪୫ ଜଣ ଯାତ୍ରୀ ଥିଲେ। ମୃତକଙ୍କ ମଧ୍ୟରେ ଆଠ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଅଛନ୍ତି।

ଦୁର୍ଘଟଣାରେ ୬ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ୩୫ ଜଣ ଆହତ ଯାତ୍ରୀଙ୍କୁ ତୁରନ୍ତ ବର୍ଦ୍ଧମାନ ମେଡିକାଲ୍ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ବର୍ତ୍ତମାନ ପୋଲିସ ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି।