fbpx

ବାରିପଦା ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର: ଝାରସୁଗୁଡା ବି ଟପ୍-୧୦ରେ ସାମିଲ

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଖରାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ବିଶେଷ କରି ବାରିପଦା ସହର ଗରମରେ ରେକର୍ଡ ଭାଙ୍ଗି ସାରିଲାଣି । କେବଳ ରାଜ୍ୟ ନୁହେଁ, ସାରା ବିଶ୍ୱରେ ମଧ୍ୟ ଏଠାକାର ତାତି ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ଶୁକ୍ରବାର ବାରିପଦାରେ ରେକର୍ଡ ହୋଇଥିବା ୪୪ ଡିଗ୍ରୀ ତାପମାତ୍ରା ବିଶ୍ୱର ଦ୍ୱିତୀୟ ସର୍ବାଦିକ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ଏହା ସହିତ ଏହି ତାଲିକାର ଟପ୍-୧୦ରେ ଝାରସୁଗୁଡା ସହର ମଧ୍ୟ ସ୍ଥାନ ପାଇଛି ।

ଓଡିଶାରେ ଚଳିତବର୍ଷର ତାପମାତ୍ରା ଖୁବ ଅଧିକ ରହିଛି । ସେପଟେ ତାତିକୁ ନେଇ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବାରିପଦା ସହର । ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ବାରିପଦା ସହର ୪୪ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ଗରମ ସହର ପାଲଟିଥିଲା । ଏହାସହିତ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବାରିପଦା ସହର । ତେବେ ଏହି ତାଲିକାରେ ଓଡିଶାର ଝାରସୁଗୁଡା ମଧ୍ୟ ଦଶମ ସ୍ଥାନରେ ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରକୁ ଯାଇଥିବା ବେଳେ ୫ଟି ସହରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ କେବଳ ପୁରୀ, ଗୋପାଳପୁର ଏବଂ ପରାଦୀପ ସହର ବ୍ୟତୀତ ବାକି ସବୁ ସହର ୩୫ ଡିଗ୍ରୀ ଉପରେ ରହିଛି । ତେବେ ଶନିବାର ମଧ୍ୟ ରାଜ୍ୟବାସୀ ସମାନ ପରିସ୍ଥିତି ଭୋଗିବେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ଏହି ତାତିର ପ୍ରକୋପ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।

Get real time updates directly on you device, subscribe now.