ମହାକୁମ୍ଭରେ ସ୍ନାନ, ପରେ ସିଧା ଜେଲ୍
ବୁଡ଼ ପକାଇ ପାପ ଧୋଇବାକୁ ଯାଇଥିଲା ସ୍ମଗଲର। ମହାକୁମ୍ଭରେ ସ୍ନାନ କଲା। କିନ୍ତୁ ପୋଲିସ ହାତରେ ସ୍ନାନ ସାରି ସିଧା ଜେଲ୍ ଗଲା।
ପ୍ରୟାଗରାଜ: ମହାକୁମ୍ଭ ସ୍ନାନରୁ ସିଧା ଜେଲ୍। ବୁଡ଼ ପକାଇ ପାପ ଧୋଇଗଲା ବୋଲି ଭାବିଥିଲା କୁଖ୍ୟାତ ସ୍ମଗଲର ପ୍ରଭାସ ଯାଦବ। ହେଲେ ପାପ ଧୋଇଲା ସତ କିନ୍ତୁ ଏବେ ତାକୁ ସଜା ବି ଭୋଗିବାକୁ ପଡ଼ିବ।
ଦୀର୍ଘ ଦିନ ହେବ ପୋଲିସ ପାଖରୁ ଲୁଚି ବୁଲୁଥିବା ସ୍ମଗଲରକୁ ମହାକୁମ୍ଭରୁ ଗିରଫ କରିଛି ଗୁଜୁରାଟ ପୋଲିସ। ମଦ ଚୋରା ଚାଲାଣକାରୀ ପ୍ରଭାସ ରାଜସ୍ଥାନରୁ ବିହାର ପର୍ଯ୍ୟନ୍ତ ମଦ ଚାଲାଣ କରୁଥିଲା।
ଖସି ପଳାଇଥିଲା ପ୍ରଭାସ: ରାଜସ୍ଥାନରୁ ବିହାରକୁ ଚୋରା ମଦ ଚାଲାଣ କରୁଥିଲା ପ୍ରଭାସ ଯାଦବ। ସେ ଏକା ନୁହେଁ ତା ସହ ପୁରା ଗ୍ୟାଙ୍ଗ ମଧ୍ୟ ଥିଲା।
ଖବର ପାଇବା ପରେ୨୦୨୩ ମସିହା ଜୁଲାଇ ୨୯ ତାରିଖରେ ୧୯ ନଂ ଜାତୀୟ ରାଜପଥ ଯାଞ୍ଚ କରିବା ସମୟରେ ପ୍ରଭାସ ଯାଦବ ଏବଂ ସାଥୀ ରାଜ ଡୋମୋଲିୟାଙ୍କୁ ଭଦୋହିର ଉଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରୁ ଗିରଫ କରାଯାଇଥିଲା।
ହେଲେ ପୋଲିସକୁ ଚକମା ଦେଇ ପ୍ରଭାସ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଉ ସେବେଠାରୁ ପ୍ରଭାସକୁ ଖୋଜି ବୁଲୁଥିଲା ପୋଲିସ। କିନ୍ତୁ ତାର ଟେର ପାଇନଥିଲା।
ମହାକୁମ୍ଭରୁ ଗିରଫ: ସେପଟେ ମହାକୁମ୍ଭରେ ବୁଡ଼ ପକାଇ ପାପ ଧୋଇବାକୁ ଯାଇଥିଲା ସ୍ମଗଲର ପ୍ରଭାସ। ତ୍ରିବେଣୀରେ ସ୍ନାନ ମଧ୍ୟ କଲା। ହେଲେ ବିଶେଷ ସୂତ୍ରରୁ ଖବର ପାଇ ମହାକୁମ୍ଭରେ ପହଞ୍ଚିଗଲା ପୋଲିସ।
ପ୍ରଭାସ ବୁଡ଼ ପକାଇବା ସମୟରେ ତାକୁ କବଜାକୁ ନେବା ସହ ଗିରଫ କଲା ପୋଲିସ। ଦୀର୍ଘ ଦିନ ହେବ ପୋଲିସ ସହ ଚୋର ପୋଲିସ ଖେଳ ଖେଳୁଥିଲା। ହେଲେ ଶେଷରେ ଧରା ପଡ଼ି ଜେଲ୍ ଗଲା।