fbpx

ଦିଲ୍ଲୀକୁ ଟପିଯିବ ଭୁବନେଶ୍ୱରର ପ୍ରଦୂଷଣ! ଦୂଷିତ ବାୟୁ ହେବ କ୍ୟାନସରର କାରଣ, ବିଶେଷଜ୍ଞଙ୍କ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣର ସ୍ଥିତି କଥା କାହାକୁ ବା ଅଜଣା । ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ତେବେ ଜଣେ ବ୍ୟକ୍ତି ଦିନକୁ ୮ଟି ସିଗାରେଟ ଟାଣିବା ପ୍ରଦୂଷିତ ବାୟୁ ସେବନ ସହ ସମାନ ହୋଇଥାଏ । ଦିଲ୍ଲୀର ସ୍ଥିତି ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଦିଲ୍ଲୀ ପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅବସ୍ଥା ମଧ୍ୟ ଅସମ୍ଭାଳ ହେଲାଣି ।

ଗତ ଆଠ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ପ୍ରଦୂଷଣ ନିୟନ୍ତ୍ରର ବୋର୍ଡ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ କେବେ ବି ଭୁବନେଶ୍ୱରର ବାୟୁର ସ୍ତର ଭଲ ନାହିଁ । ସାଧାରଣ ଭାବେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ବା ତଳକୁ ରହିଲେ ତାହାକୁ ଗୁଡ୍ ବା ଭଲ କୁହାଯାଏ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର, ୨୦୧-୩୦୦ ମଧ୍ୟରେ ରହିଲେ ସାଙ୍ଘାତିକ, ୩୦୧-୪୦୦ ମଧ୍ୟରେ ରହିଲେ ଅତି ସାଙ୍ଘାତିକ, ୪୦୧-୫– ମଧ୍ୟରେ ରହିଲେ ମଣିଷ ଓ ଜୀବଜଗତ ବଞ୍ଚିବ ଅସମ୍ଭବ ହୋଇ ପଡ଼ିବ ।

ତେବେ କେବଳ ପ୍ରଦୂଷଣ ନୁହେଁ, ବାୟୁରେ ପଦାର୍ଥ କଣିକା ((ପିଏମ-୧୦) ମଧ୍ୟ ବଢ଼ି ଚାଲିଥିବା ଜଣାପଡ଼ିଛି । ଚଳିତ ବର୍ଷ ପିଏମ-୧୦ ଭୁବନେଶ୍ୱରରେ ୧୧୫ରେ ପହଞ୍ଚିଥିବା ବେଳେ ଏହା କ୍ୟାନସର ଭଳି ଭୟଙ୍କର ରୋଗର କାରଣ ପାଲଟିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଦିନକୁ ଦିନ ଭୁବନେଶ୍ୱରରେ ମାତ୍ରାଧିକ ନିର୍ମାଣ କାର୍ଯ୍ୟ, କଳାକାରଖାନା ବୃଦ୍ଧି, ଶିଳ୍ପସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ, ବର୍ଜ୍ୟବସ୍ତୁର କୁପରିଚାଳନା, ଗାଡ଼ିମଟର ବୃଦ୍ଧି ଆଦି ପରିବେଶକୁ କ୍ଷତି ପହଞ୍ଚାଉଛି । ଲୋକମାନେ ମାତ୍ରାଧିକ ପ୍ଲାଷ୍ଟିକ ବ୍ୟବହାର କରୁଥିବାରୁ ତାହା ବର୍ଷ ବର୍ଷ ଧରି ପଡ଼ି ରହି ନଷ୍ଟ ନହୋଇ ମାଇକ୍ରୋ ପ୍ଲାଷ୍ଟିକରେ ପରିଣତ ହୋଇଥାଏ । ଏହା ବାୟୁ ମଣ୍ଡଳରେ ଘୂରି ବୁଲିବା ସହ ମଣିଷ ଶରୀରକୁ ଯାଇ କ୍ୟାନସର ସୃଷ୍ଟି କରିଥାଏ । ସ୍ତନ୍ୟପାନ ଜରିଆରେ ମଧ୍ୟ ନବଜାତ ଶିଶୁ ଶରୀରରେ କ୍ୟାନସର ସୃଷ୍ଟି ହେଉଛି । ଏହାଛଡ଼ା ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଜରିଆରେ ମଧ୍ୟ ମଣିଷ ଶରୀରକୁ ଏହି କଣିକା ପ୍ରବେଶ କରୁଥିବା କୁହାଯାଉଛି ।

Get real time updates directly on you device, subscribe now.