fbpx

ଭିଭିଏସ୍ ଲକ୍ଷ୍ମଣ ନୁହଁନ୍ତି ଏହି ଖେଳାଳୀଙ୍କୁ ବିସିସିଆଇ ପକ୍ଷରୁ ମିଳିଛି କୋଚ୍ ପଦର ଅଫର, ଜାଣନ୍ତୁ କିଏ ସେହି ଖେଳାଳୀ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟର ସାମ୍ନା କରିବାକୁ ପଡିଲା । ଏହି ୱାର୍ଲ୍ଡ କପ୍ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯାଇଛି । ଏବେ ଟିମ୍ ଅଷ୍ଟ୍ରେଲିଆ ବିରୁଦ୍ଧରେ ୫ଗୋଟି ଟି୨୦ ମ୍ୟାଚ୍ ସିରିଜ୍ ଖେଳୁଛି । ଏଥିରେ ଭିଭିଏସ୍ ଲକ୍ଷ୍ମଣ କୋଚ୍ ଭାବରେ ଦାୟିତ୍ୱ ନିଭାଉଛନ୍ତି । ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ମୁଖ୍ୟ ମଧ୍ୟ ରହିଛନ୍ତି ଓ ଭାରତୀୟ ଟିମ୍‌ର କୋଚ୍ ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି । ଏହାରି ମଧ୍ୟରେ ବିସିସିଆଇ ଜଣେ ପୂର୍ବ ଭାରତୀୟ ଖେଳାଳୀଙ୍କୁ ଟି୨୦ ଟିମ୍‌ର କୋଚ୍ ହେବାକୁ ଅଫର ଦେଇଛି ।

ମିଳିଥିବା ସୂଚନା ଅନୁସାରେ ବିସିସିଆଇ ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର କୋଚ୍ ହେବାକୁ ପ୍ରସ୍ତାବ ଦେଇଛି । କିନ୍ତୁ କୁହାଯାଉଛି ନେହରା ଏହାକୁ ଗ୍ରହଣ କରିନାହାନ୍ତି । ନେହରା ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର କୋଚ୍ ଅଛନ୍ତି । ତାଙ୍କ କୋଚିଂରେ ଗୁଜରାଟ ଟିମ୍ ଆଇପିଏଲ୍ ୨୦୨୨ ରେ ବିଜୟ ଲାଭ କରି ଆଇପିଏଲ୍ ୨୦୨୩ ଲାଗି ସ୍ଥାନ ବଜାୟ ରଖିପାରିଥିଲା । କିନ୍ତୁ ଫାଇନାଲରେ ଗୁଜରାଟକୁ ସିଏସକେ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଆଶିଷ ନେହରା ମନା କରିବା ପରେ ବିସିସିଆଇ ଚାହୁଁଛି ଆଗାମୀ ବର୍ଷ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର କୋଚ୍ ରୁହନ୍ତୁ । ଏହା ସହିତ ବିସିସିଆଇ ତାଙ୍କୁ ନୂଆ ଦାୟିତ୍ୱ ଦେବାକୁ ମଧ୍ୟ ପ୍ରସ୍ତୁତ ହେଉଛି । ଟି୨୦ ୱାର୍ଲ୍ଡ କପ୍ ୨୦୨୪ ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ରେ ଖେଳାଯିବ । ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଚାହୁଁଛନ୍ତି ଦ୍ରାବିଡ ଆଗାମୀ ଟି୨୦ ବିଶ୍ୱକପ୍ ପର୍ଯ୍ୟନ୍ତ କୋଚ୍ ରୁହନ୍ତୁ ।

Get real time updates directly on you device, subscribe now.