fbpx

ସାର୍ବଜନୀନ ନଳରୁ ପାଣି ପିଇଥିବାରୁ ଦଳିତଙ୍କୁ ପିଟି ପିଟି ହତ୍ୟା: ଜଣେ ଗିରଫ

ଉତ୍ତରପ୍ରଦେଶ: ସାର୍ବଜନୀନ ନଳକୂପରୁ ପାଣି ପିଇବା କାରଣରୁ ଜଣେ ଦଳିତଙ୍କୁ ପିଟି ପିଟି ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ଉସହୈତ ଥାନା ଅନ୍ତର୍ଗତ ସାଥରା ଗାଁରେ । ମୃତକ ଜଣଙ୍କ ହେଲେ କମଳେଶ(୩୨) । ତେବେ ଏ ନେଇ ମୃତକଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ସୁରଜ ରାଥୋଡ଼ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କମଳେଶଙ୍କ ଝିଅ ଘର ପାଖରେ ଥିବା ସାର୍ବଜନୀନ କଳରୁ ପାଣି ଭରୁଥିବା ସମୟରେ ସୁରଜ ସେଠାକୁ ଆସିଥିଲା । ତେବେ ସେ ସେଠାରେ କମଳେଶଙ୍କ ଝିଅର ବାଲଟିକୁ କାଢ଼ି ନିଜେ ପାଣି ଭରିବାରେ ଲାଗିଥିଲା । ତେବେ ଏହାକୁ ବିରୋଧ କରିବାରୁ ସେ କମଳେଶଙ୍କ ଝିଅକୁ ଗାଳିଗୁଲଜ ମଧ୍ୟ କରିଥିଲା । ତେବେ ସେ ସମୟରେ ଗାଁ ଲୋକଙ୍କ ହସ୍ତକ୍ଷେପରୁ ମାମଲା ଶାନ୍ତ ପଡ଼ିଥିଲା ।

କିନ୍ତୁ ସେହିଦିନ ସନ୍ଧ୍ୟା ପ୍ରାୟ ୭.୩୦ ବେଳେ କମଳେଶ କ୍ଷେତରୁ ଫେରୁଥିବା ସମୟରେ ସୁରଜ ନିଜର କିଛି ସହଯୋଗୀଙ୍କ ସହ ଆସି କମଳେଶଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ତେବେ ପାଟି ଶୁଣି ଗାଁ ଲୋକେ ସେଠାରେ ପହଞ୍ଚିଲା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇ ଯାଇଥିଲେ । କମାଳେଶଙ୍କୁ ଉଦ୍ଧାର କରି ଗାଁଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କମଲେଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏ ନେଇ କମଳେଶଙ୍କ ପିତା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ତିନି ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରି ସୁରଜକୁ ଗିରଫ କରିଛି । ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ବେଳେ ସେମାନଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି। ଏହି ଘଟଣାରେ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.