fbpx

BCCIର ବଡ଼ ନିଷ୍ପତ୍ତି: ୩ ଜଣ ବରିଷ୍ଠ ଖେଳାଳିଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଘରୋଇ କ୍ରିକେଟ ଖେଳିବେ ଅନ୍ତର୍ଜାତୀୟ ଖେଳାଳି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଘରୋଇ କ୍ରିକେଟର ମାନ ବୃଦ୍ଧି ଓ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରାଇବା ଲକ୍ଷ୍ୟରେ ବୋର୍ଡ ଏହି ପଦକ୍ଷେପ ଗ୍ରହଣ କରିଛି । ଏବେ ଜୋନାଲ ଚୟନ କମିଟି ପରିବର୍ତ୍ତେ ଜାତୀୟ ଚୟନ କମିଟି ଦିଲୀପ ଟ୍ରଫି ପାଇଁ ଟିମ୍ ଚୟନ କରିବେ । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଅଗଷ୍ଟ ମାସରେ ହେବାକୁ ଥିବା ଦଲୀପ ଟ୍ରଫିରେ ଟେଷ୍ଟ ସ୍ପେଶାଲିଷ୍ଟ ଖେଳାଳିମାନେ ଅତିକମରେ ଗୋଟିଏ ବା ଦୁଇଟଇ ମ୍ୟାଚ ଖେଳିବେ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟ ମ୍ୟାଚ ନଥିବା ସମୟରେ କେବଳ ୩ ଜଣ ବରିଷ୍ଠ ଖେଳାଳିଙ୍କୁ ଛାଡ଼ି ଅନ୍ୟ ଖେଳାଳିମାନେ ଘରୋଇ କ୍ରିକେଟ ଖେଳିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଘରୋଇ କ୍ରିକେଟ ଖେଳିବା ଦ୍ୱାରା ଖେଳାଳିଙ୍କର ଶୀର୍ଷ ଫର୍ମ ବଜାୟ ରହିବ । ସେଥିପାଇଁ ଏହି ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦିଆଯାଇଥିଲେ ବି ସେମାନେ ଚାହିଁଲେ ଘରୋଇ କ୍ରିକେଟ ଖେଳିପାରିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ।

ଖେଳାଳିମାନେ ଘରୋଇ କ୍ରିକେଟ ଖେଳିବା ନେଇ ଗତ ଫେବୃଆରୀରେ ବିସିସିଆଇ ପକ୍ଷରୁ ନିୟମ ଜାରି କରାଯାଇଥିଲା । କେବଳ ଅନ୍ତର୍ଜାତୀୟ କ୍ରିକେଟ ଓ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)କୁ ପ୍ରାଥମିକତା ଦିଆଯିବନି ବୋଲି କୁହାଯାଇଥିଲା । ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ ଓ ନିଜ ରାଜ୍ୟର ଟିମ୍ ପ୍ରତି ସମ୍ମାନ ଜାହିର କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ଜାତୀୟ ଦଳରୁ ବାଦ୍ ପଡ଼ିଥିବା, ଆଘାତ ଜନିତ ସମସ୍ୟା କାରଣରୁ ଖେଳୁଥିବା, ରଣଜୀ ଖେଳୁନଥିବା ଖେଳାଳିଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଥିଲା । ଅନେକ ଖେଳାଳି ଆଇପିଏଲ ଖେଳିବାକୁ ପ୍ରସ୍ତୁତି କରୁଥିବା ବେଳେ ଘରୋଇ କ୍ରିକେଟକୁ ଅଣଦେଖା କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.