fbpx
BSKY
BJD SHG SKY
BJD MC SKY

ସେପ୍ଟେମ୍ବର ୧୫ରୁ ୟୁଏଇରେ ଆରମ୍ଭ ହୋଇପାରେ ଆଇପିଏଲର ବାକି ମ୍ୟାଚ୍

ନୂଆଦିଲ୍ଲୀ ୨୩ ।୦୫: କରୋନା କାରଣରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ ପାଇଁ ଆତୁର ବିସିସିଆଇ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ବୋର୍ଡ ଖୁବ୍ ଶୀଘ୍ର ବାକି ୩୧ ମ୍ୟାଚର ଆୟୋଜନ ପାଇଁ  ଅନ୍ତିମ ରୂପ ଦେଇପାରେ । ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଗସ୍ତ ପରେ ବୋର୍ଡ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲ ପାର୍ଟ-୨ ଆୟୋଜନ କରିବାକୁ ଚାହୁଁଛି ।

ଭାରତର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ସମାପ୍ତ ହେବ ଏବଂ ବିସିସିଆଇକୁ ଟି-୨୦ ବିଶ୍ୱ କପ ପୂର୍ବରୁ ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୧୫ ମଧ୍ୟରେ ଏକ ମାସର ସମୟ ମିଳିବ । ତେଣୁ ବିସିସିଆଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ହ୍ରାସ କରିବାକୁ ଚାହୁଁଁଛି । ସେଥିପାଇଁ ବୋର୍ଡ ଇଂଲଣ୍ଡ ଓ ୱେଲ୍‌ସ କ୍ରିକେଟ୍ ବୋର୍ଡକୁ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମଧ୍ୟରେ ଥିବା ନଅ ଦିନର ବ୍ୟବଧାନକୁ କମାଇ ୪ ଦିନ କରିବାକୁ ଅନୁରୋଧ କରିପାରେ । ଏଥିରେ ବିସିସିଆଇକୁ ଆଇପିଏଲର ଆୟୋଜନ ପାଇଁ ଅଧିକ ସମୟ ମିଳିଯିବ ।

ଟାଇମ୍ସ ଅଫ ଇଣ୍ଡିଆର ସୂତ୍ର ଅନୁଯାୟୀ, ଯଦି ଦ୍ୱିତୀୟ ଟେଷ୍ଟ ଓ ତୃତୀୟ ଟେଷ୍ଟ ମଧ୍ୟରେ ଥିବା ବ୍ୟବଧାନକୁ କମାଇ ଚାରି ଦିନ କରାଯାଏ ତେବେ ବିସିିସିଆଇକୁ ଅତିରିକ୍ତ ଚାରି ଦିନର ସମୟ ମିଳିଯିବ । ଆଇପିଏଲର ବଳକା ମ୍ୟାଚ୍ ପାଇଁ ବିସିସିଆଇ ବିଦେଶୀ ଖେଳାଳିଙ୍କୁ ସାମିଲ କରାଇବାକୁ ଯୋଜନା ପ୍ରସ୍ତୁତ କରୁଛି । ଇଂଲଣ୍ଡ କ୍ରିକେଟ୍ ଖେଳାଳିଙ୍କୁ ୟୁଏଇ ପଠାଯିବାକୁ ଯୋଜନା କରାଯାଉଛି ।

ଯଦି ଦୁଇ ଟେଷ୍ଟ ମଧ୍ୟରେ ବ୍ୟବଧାନ କମ କରାନଯାଏ ତେବେ ଭାରତୀୟ ଦଳ ଓ ଇଂଲଣ୍ଡ ଦଳର ଖେଳାଳିଙ୍କୁ ୟୁକେରୁ ୟୁଏଇ ଯାତ୍ରା ପାଇଁ ଅଲଗା ଗୋଟିଏ ଦିନ ରଖିବାକୁ ପଡିବ । ଏହା ବ୍ୟତୀତ ନକଆଉଟ ପର୍ଯ୍ୟାୟ ପାଇଁ ପାଂଚ ଦିନର ସମୟ ମଧ୍ୟ ରଖିବାକୁ ହେବ । ଏମିତିରେ ବିସିସିଆଇ ପାଖରେ ବଳକା ୨୭ ମ୍ୟାଚ୍ ପାଇଁ ୨୪ ଦିନ ସମୟ ରହିବ । ଏହି ୱିଣ୍ଡୋରେ ଶନିବାର ଓ ରବିବାରକୁ ମିଶାଇ ଆଠ ଦିନ ରହିଛି । ଏହାର ଅର୍ଥ ୱିକେଣ୍ଡରେ ଦୁଇ ଦୁଇଟି ମ୍ୟାଚ୍ ଖେଳା ଯାଇ ପାରିବ । ଏହା ପରେ ବିସିସିଆଇକୁ ବାକି ୧୧ ମ୍ୟାଚ୍ ଆୟୋଜନ ପାଇଁ ୧୯ ଦିନର ସମୟ ମିଳିଯିବ।

Get real time updates directly on you device, subscribe now.