fbpx

କରୋନାରୁ ପିଲାଙ୍କୁ ସୁରକ୍ଷା ଦେବ ଭାରତର ସ୍ୱଦେଶୀ ନାଜାଲ୍ ଭାକ୍ସିନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପାଇଁ ଚିନ୍ତା ବଢ଼ି ଯାଇଛି । ଏପରିକି ତୃତୀୟ ତରଙ୍ଗ ଆସିବା ନେଇ କେତେକ ମହଲରେ ଆଶଙ୍କା କରାଯାଉଛି । ତେବେ ଏହି ଆଶଙ୍କା କରାଯାଉଥିବା ତୃତୀୟ ତରଙ୍ଗ ପିଲାଙ୍କ ପାଇଁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି । କିନ୍ତୁ ଏହା ମଧ୍ୟରେ ଆସିଛି ଖୁସି ଖବର । ନାକରେ ଦିଆଯିବା ଭଳି ଏକ ଭାକ୍ସିନ୍ ସମ୍ପ୍ରତି ପରୀକ୍ଷଣ ଅବସ୍ଥାରେ ରହିଛି । ଏହା ସଫଳ ହେଲେ ଭାରତର ଏହି ସ୍ୱଦେଶୀ ଭାକ୍ସିନ୍ ପିଲାଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହେବ । ଏହି କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ଦୃଢ଼ତାର ସହ ଦାବି କରିଛନ୍ତି ।

WHO ର ବୈଜ୍ଞାନିକ ତଥା ଶିଶୁ ରୋଗ ବିଶେଷଜ୍ଞ ସ୍ୱାମୀନାଥନ କହିଛନ୍ତି ଯେ ଭାରତରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ଭାକ୍ସିନ୍ ପିଲାଙ୍କ ପାଇଁ ଗେମ୍ ଚେଞ୍ଜର୍ ଭଳି ପ୍ରମାଣିତ ହେବ । ଏହାକୁ ବ୍ୟବହାର କରିବା ମଧ୍ୟ ଖୁବ୍ ସହଜ ଓ ଉକ୍ତ ଭାକ୍ସିନ୍ ପିଲାଙ୍କ ଶ୍ୱାସନଳୀକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ । ଏଥିସହ ସେ କହିଛନ୍ତି ଯେ, ବୟସ୍କ ବ୍ୟକ୍ତି ଓ ଶିକ୍ଷକମାନଙ୍କ ଟିକାକରଣ ବ୍ୟାପକ ହେବା ଦରକାର । ଏଥିସହ ସବୁସ୍ତରରେ କରୋନା ସଂକ୍ରମଣ କମିବା ପରେ ହିଁ ସ୍କୁଲ୍ ଖୋଲାଯିବା ଆବଶ୍ୟକ । ଅନ୍ୟ ଦେଶମାନେ ମଧ୍ୟ ଏଭଳି ସାବଧାନତା ଅବଲମ୍ବନ କରି ଆଶୁ ପଦକ୍ଷେପ ନେଉଛନ୍ତି । ତେଣୁ ଭାରତରେ ମଧ୍ୟ ଶିକ୍ଷକମାନଙ୍କୁ ଟିକାକରଣ କରିବା ଫଳରେ ଏକ ବଡ଼ ସଫଳତା ମିଳିବ । ଭାରତରେ ପ୍ରସ୍ତୁତ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଧରଣର ଭାକ୍ସିନ୍ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକ ତଥା ବିଶେଷଜ୍ଞ ସ୍ୱାମୀନାଥନ୍ ଆଶାବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ, ପିଲାମାନେ କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି । କିନ୍ତୁ ଏହାର ପ୍ରଭାବ କମ୍ । ନିତି ଆୟୋଗର ସଦସ୍ୟ ଭିକେ ପଲ୍  ମଧ୍ୟ କହିଛନ୍ତି ଯେ ଯଦି ପିଲାମାନେ କୋଭିଡ୍ ସଂକ୍ରମଣରେ ପ୍ରଭାବିତ ହେଉଛନ୍ତି ବା କିଛି ବି ସାମାନ୍ୟ ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କାରଣ ପିଲାମାନଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସାଧାରଣଃ ପରିବାରର ଅନ୍ୟମାନଙ୍କୁ ଖୁବ୍ ସତର୍କ ହେବାକୁ ପଡ଼ିବ । ବିଶେଷକରି ମା’ମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର ।

ଖୁସି ଖବର ଯେ, ୨ରୁ ୧୧ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର୍ ଟିକା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆମେରିକା ପ୍ରସ୍ତୁତ କରିବାକୁ ଯୋଜନା କରୁଛି । ସେହିପରି ୬ ମାସରୁ କମ୍ ବୟସର ଶିଶୁଙ୍କ ପାଇଁ ମଡର୍ଣ୍ଣା ଟିକା ପାଇଁ ପରୀକ୍ଷଣ ଚାଲୁ ରହିଛି । ତେବେ ୧୨ ବର୍ଷରୁ ଅଧିକ ବର୍ଷ ପିଲାଙ୍କ ପାଇଁ ଫାଇଜର୍ ଟିକା ବର୍ତ୍ତମାନ ସ୍ୱୀକୃତ ବୋଲି ବୈଜ୍ଞାନିକ ସ୍ୱାମୀନାଥନ୍ କହିଛନ୍ତି ।

Get real time updates directly on you device, subscribe now.