‘ଟସ୍’ ନିୟମ ବଦଳିବ! ଘରୋଇ କ୍ରିକେଟରୁ ଟସ୍ ହଟାଇବା ପାଇଁ ପ୍ରସ୍ତାବ ଦେଲେ BCCI ସମ୍ପାଦକ, ଆଇପିଏଲରେ ବି ହୋଇପାରେ ଲାଗୁ

ନୂଆଦିଲ୍ଲୀ: ବହୁ ସମୟ ଧରି କ୍ରିକେଟରୁ ‘ଟସ୍’ ହଟାଇବା ପାଇଁ ଦାବି ହୋଇ ଆସୁଛି । ଏହା ବଦଳରେ ଭ୍ରମଣକାରୀ ଟିମକୁ ନିଜ ପସନ୍ଦ ମୁତାବକ ବ୍ୟାଟିଂ ବା ବୋଲିଂ ବାଛିବାକୁ ସୁଯୋଗ ଦେବା ଆବଶ୍ୟକ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ପଦକ୍ଷେପ ଗ୍ରହଣ କରିଦେଇଛି । ତେଣୁ ଆଗାମୀ ଦିନରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏହା ଲାଗୁ ହେବାର ସମ୍ଭାବନା ରହିଛି ।

କ୍ରିକେଟରେ ଟସ୍ ବହୁତ ବଡ଼ ଭୂମିକା ନିର୍ବାହ କରିଥାଏ । ଅଧିକାଂଶ ମ୍ୟାଚରେ ଟସ୍ ହିଁ ବିଜୟୀ ନିର୍ଦ୍ଧାରଣ କରିଥାଏ । ବିଶେଷ କରି ଟି-୨୦ରେ ଟସ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେହି କାରଣରୁ ଟସକୁ ହଟାଇବାକୁ କିଛି ବର୍ଷ ଧରି ଦାବି ହୋଇ ଆସୁଛି । ତେଣୁ ଏ ମାମଲାରେ ବିସିସିଆଇ ଏକ ଛୋଟ ସ୍ତରରୁ ପଦକ୍ଷେପ ଆରମ୍ଭ କରିଛି । ଘରୋଇ କ୍ରିକେଟରୁ ଟସ୍ ହଟାଇବା ପାଇଁ ବିସିସିଆଇ ସମ୍ପାଦକ ଜୟ ଶାୟ ପ୍ରସ୍ତାବ ରଖିଛନ୍ତି । ବଡ଼ ଫର୍ମାଟର ଅଣ୍ଡର-୨୩ ଟୁର୍ଣ୍ଣାମେଣ୍ଟ ସିକେ ନାୟଡ଼ୁ ଟ୍ରଫିରୁ ଟସ୍ ସମାପ୍ତ କରିବା ପାଇଁ ଶାହ ବୋର୍ଡର ଆପେକ୍ସ କାଉନସିଲ ନିକଟରେ ପ୍ରସ୍ତାବ ରଖିଛନ୍ତି । ଏଭଳି ସ୍ଥିତିରେ ଅତିଥି ଟିମକୁ ନିଜ ପସନ୍ଦ ମୁତାବକ ବ୍ୟାଟିଂ / ବୋଲିଂ କରିବାକୁ ସୁଯୋଗ ଦିଆଯିବ ।

ଟସକୁ ହଟାଇବା ନେଇ ବିଶ୍ୱସ୍ତରର ଅନେକ ଏକ୍ସପର୍ଟ ଓ ଅନେକ ପୂର୍ବ କ୍ରିକେଟର ପ୍ରସ୍ତାବ ଦେଇ ଆସିଛନ୍ତି । ଯଦି ଏହା ପଦକ୍ଷେପ ସଫଳ ହୁଏ ତେବେ ବିସିସିଆଇ ଆଗାମୀ ଦିନରେ ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି ସମେତ ଘରୋଇ କ୍ରିକେଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଏହାକୁ ଲାଗୁ କରିପାରେ । ତେବେ ଏପରି ସ୍ଥିତିରେ ଆଗାମୀ କିଛି ବର୍ଷ ମଧ୍ୟରେ ଆଇପିଏଲରେ ମଧ୍ୟ ଏହା ଲାଗୁ ହୋଇପାରେ । ବିସିସିଆଇ କୌଣସି ନୂଆ ନିୟମ ଲାଗୁ କରିବା ପୂର୍ବରୁ ତାହାକୁ ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଟ୍ରାଏ କରିଥାଏ ।