fbpx
BJD SKY
BJD SKY

ବିସିସିଆଇ ସେୟାର କଲା ୧୧ ଖେଳାଳିଙ୍କ ଫଟୋ, ପାକିସ୍ତାନ ବିପକ୍ଷ ମୁକାବିଲାର ଏ ହେଉଛନ୍ତି ଚୂଡାନ୍ତ ଏକାଦଶ !

BJD

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଆଜିଠୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ। ତେବେ ଟୁର୍ଣ୍ଣାମେଣ୍ଟର ପ୍ରକୃତ ରୋମାଞ୍ଚ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଦେଖିବାକୁ ମିଳିବ। ମଇଦାନକୁ ଓହ୍ଲାଇବେ ଦୁଇ ଚିର ପ୍ରତିଦ୍ଵନ୍ଦୀ ଭାରତ ଏବଂ ପାକିସ୍ତାନ। ଏହି ମୁକାବିଲା ପୂର୍ବରୁ ବିସିସିଆଇ ନିଜର ସାମାଜିକ ଗଣମାଧ୍ୟମରେ ଭାରତର ୧୧ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି। ଏହି ୧୧ ଖେଳାଳି ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ଏହି ଟୁଇଟ୍ ଦେଖିବା ପରେ ପ୍ରଶଂସକ ଅନୁମାନ କରୁଛନ୍ତି ଯେ, ଏହି ୧୧ ଖେଳାଳି ପାକିସ୍ତାନ ବିପକ୍ଷ ମୁକାବିଲାରେ ମଇଦାନକୁ ଓହ୍ଲାଇବେ। ଯେଉଁ ଫଟୋ ବିସିସିଆଇ ପୋଷ୍ଟ କରିଛି, ସେଥିରେ ପ୍ରଥମେ ଅଛନ୍ତି ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଯୋଡି। ଆଶା କରାଯାଉଛି ଦୁଇ ବ୍ୟାଟସମ୍ୟାନ ହିଁ ପାକିସ୍ତାନ ବିପକ୍ଷ ମୁକାବିଲାରେ ଓପନିଂ କରିବେ।

ଏହା ପରେ ରହିଛି ବିରାଟ କୋହଲିଙ୍କ ଫଟୋ। କୋହଲି ଲମ୍ବା ବ୍ରେକ ପରେ ଏସିଆ କପ୍ ଜରିଆରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦୀର୍ଘ ସମୟ ଧରି ଫର୍ମରେ ନଥିବା କୋହଲିଙ୍କଠୁ ପ୍ରଶଂସକ ରନ ଆଶା ରଖିଛନ୍ତି। ତେଣୁ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ନିଜର ଦମ ଦେଖାଇବେ ବୋଲି ସମସ୍ତେ ଆଶା କରିଛନ୍ତି।

 

ବିସିସିଆଇ ଦ୍ଵାରା ଟୁଇଟ୍ କରାଯାଇଥିବା ଫଟୋ ଗୁଡିକ ମଧ୍ୟରେ ସୂର‌୍ୟ୍ୟକୁମାର ଯାଦବ ତୃତୀୟରେ ଅଛନ୍ତି। ସେ ନମ୍ବର ୪ରେ ବ୍ୟାଟିଂ କରିବାକୁ ଓହ୍ଲାଇବେ। ପଡିଆର ସମସ୍ତ କୋଣକୁ ବଡ ସର୍ଟ ଖେଳିବାର କ୍ଷମତା ରଖିଥିବା ସୂର‌୍ୟ୍ୟକୁମାର ଯାଦବ ବୋଲରଙ୍କ ବିପକ୍ଷରେ ଜଣେ ବିପଦଜ୍ଜନକ ବ୍ୟାଟସମ୍ୟାନ। ସଂପ୍ରତି ସେ ଚମତ୍କାର ଫର୍ମରେ ଅଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଚୂଡାନ୍ତ ଏକାଦଶର ପ୍ରମୁଖ ତାରକା ଅଲରାଉଣ୍ଡର ଖେଳାଳି। ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରଠୁ ସେ ଏକ ଭିନ୍ନ ଧରଣର ଏବଂ ଉନ୍ନତ କ୍ରିକେଟ୍ ଖେଳୁଛନ୍ତି। ତାଙ୍କ ନିକଟରେ ନେତୃତ୍ଵର କ୍ଷମତାରେ ବିକାଶ ଘଟିଛି। ସେ ଦଳର ସ୍ଥିତି ଅନୁସାରେ ବ୍ୟାଟିଂ ଏବଂ ବୋଲିଂ କରିବାକୁ ମାହିର।

ଋଷଭ ପନ୍ତ ଏହି ଚୂଡାନ୍ତ ଏକାଦଶରେ ନମ୍ବର ୫ରେ ବ୍ୟାଟିଂ କରିବେ। ତାଙ୍କୁ ଜିମ୍ବାଓ୍ଵେ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ପନ୍ତ ଗତ କିଛି ମାସ ଧରି ଚମତ୍କାର ଫର୍ମରେ ଅଛନ୍ତି। ସେ ଏସିଆ କପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

ଅନୁଭବୀ ଖେଳାଳି ଦିନେଶ କାର୍ତ୍ତିକ ମଧ୍ୟ ବିସିସିଆଇ ଦ୍ଵାରା ସେୟାର କରାଯାଇଥିବା ଫଟୋର ଅଂଶ ବିଶେଷ ଅଛନ୍ତି। କାର୍ତ୍ତିକ ଆଇପିଏଲ ୨୦୨୨ରେ ଦମଦାର କ୍ରିକେଟ୍ ଖେଳିଥିଲେ। ଏହା ପରେ ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଥିଲା। ଦଳକୁ ଫେରିବା ପରେ ସେ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ନିକଟରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ନିଜର ପ୍ରଦର୍ଶନ ଦମରେ ତାଙ୍କୁ ବଡ ଟୁର୍ଣ୍ଣାମେଣ୍ଟରେ ଚୂଡାନ୍ତ ଏକାଦଶରେ ରଖିବାକୁ ଦାବି ଉଠୁଛି।

 

ଏସିଆ କପରୁ ବାଦ୍ ପଡିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଭୁବନେଶ୍ଵର କୁମାର ଭାରତୀୟ ଦ୍ରୁତ ବୋଲର ଆକ୍ରମଣର ନେତୃତ୍ଵ ନେବେ। ସେ ବୁମରାଙ୍କ ସହିତ ଭାରତ ପାଇଁ ଗତ କିଛି ବର୍ଷରେ ସୀମିତ ଓଭର କ୍ରିକେଟରେ ଦୁଇ ପ୍ରମୁଖ ବୋଲର ରହି ଆସିଛନ୍ତି। ପ୍ରାରମ୍ଭିକ ଓଭରରେ ଭୁବନେଶ୍ଵର କୁମାରଙ୍କୁ ସାମ୍ନା କରିବା ଯେ କୌଣସି ବ୍ୟାଟସମ୍ୟାନଙ୍କ ପାଇଁ ମୁସ୍କିଲ ହୋଇଥାଏ।

ୟୁଜବେନ୍ଦ୍ର ଚହଲ ଭାରତର ପ୍ରମୁଖ ସ୍ପିନର ରହିବେ। ସେ କିଛି ସମୟ ବିରତି ନେଇଥିଲେ। ହେଲେ ଏସିଆ କପରେ ଦଳର ଚୂଡାନ୍ତ ଏକାଦଶକକୁ ଫେରୁଛନ୍ତି। ସେ ୨୦୧୮ରେ ଏସିଆ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ପାକିସ୍ତାନ ବିପକ୍ଷ ବଡ ମ୍ୟାଚ୍ ପାଇଁ ଭାରତର ସବୁଠୁ ଶକ୍ତିଶାଳୀ ଚୂଡାନ୍ତ ଏକାଦଶର ସଦସ୍ୟ ରହିବେ।

 

ବୁମରା ବାଦ୍ ପଡିବାରୁ ତାଙ୍କ ଅନୁପସ୍ଥିତିରେ ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ। ତାଙ୍କର ଝଲକ ବିସିସିଆଇର ଟୁଇଟର ପୋଷ୍ଟରୁ ଦେଖିବାକୁ ମିଳିଛି। ଅଭେଶ ଖାନ ଆଇପିଏଲ ଏବଂ ଭାରତୀୟ ଦଳ ପକ୍ଷରୁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଏ ଯାଏଁ ଭାରତ ପାଇଁ ୧୩ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୧୧ ଓ୍ଵିକେଟ୍ ନେଇ ସାରିଛନ୍ତି।

ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚୂଡାନ୍ତ ଏକାଦଶରେ ଦ୍ଵିତୀୟ ଦ୍ରୁତ ବୋଲର ବିକଳ୍ପ। ସେ ପ୍ରଥମେ ଇଂଲଣ୍ଡ ବିପକ୍ଷରେ ଏବଂ ପୁଣି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଡେଥ ଓଭରରେ ନିଜ କ୍ଷମତା ସାବ୍ୟସ୍ତ କରିଛନ୍ତି। ଏସିଆ କପରେ ତାଙ୍କର ଚୟନ ତାଙ୍କ ପ୍ରତି ଚୟନକର୍ତ୍ତାଙ୍କ ଭରସାକୁ ପ୍ରମାଣିତ କରୁଛି। କିଛି ସମୟ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିବା ଅର୍ଶଦୀପ ସିଂହ ଅଦ୍ୟାବଧି ୬ଟି ଟି-୨୦ରେ ମୋଟ୍ ୨୦ ଓ୍ଵିକେଟ୍ ନେଇ ସାରିଛନ୍ତି। ଏଥିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୫ ଓ୍ଵିକେଟ୍ ସାମିଲ୍।

 

Get real time updates directly on you device, subscribe now.