fbpx

ରାଜଧାନୀବାସୀ ସାବଧାନ: ଲେଡି ଲୁଟେରା ଗ୍ୟାଙ୍ଗ ଲୁଟି ନେଉଛନ୍ତି ବାଇକ୍, ମୋବାଇଲ, ମନିପର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି ରାଜଧାନୀ ଭୁବନେଶ୍ୱର । ପ୍ରଶାସନ ପକ୍ଷରୁ ପକ୍ଷରୁ ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଲୁଟେରାଙ୍କ ରାଜୁତି ବେଳକୁ ବଢ଼ୁଛି ପଛେ କମୁନାହିଁ । ତେବେ ଏହା ମଧ୍ୟରେ ରାଜଧାନୀରେ ପୁରୁଷ ନୁହନ୍ତି ବରଂ ମହିଳା ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବିଭିନ୍ନ ପ୍ରକାରର ବାହାନା ଦେଖାଇ ଲୋକଙ୍କଠାରୁ ଏହି ମହିଳା ଗ୍ୟାଙ୍ଗର ସଦସ୍ୟମାନେ ଲୁଟ୍ କରୁଛନ୍ତି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସଚେତନ କରାଯାଇଛି ।

ରାଜଧାନୀର ସୁନ୍ଦରୀ ଲୁଟେରାମାନେ ନିଜର ସୁସଜ୍ଜିତ ପୋଷାକ, ଆକର୍ଷଣୀୟ ଚେହେରାକୁ ଦେଖାଇ ନିଜ ଆଡ଼କୁ ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରୁଛନ୍ତି । ଆଉ ମଉକା ପାଇଲେ ସେମାନେ ଗୋଷ୍ଠୀ ହୋଇ ନିରୀହ ଯୁବକଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟି ନେଉଛନ୍ତି । ଗତ ସପ୍ତାହରେ ମାଷ୍ଟର କ୍ୟାଣ୍ଟିନ ଛକରେ ଜଣେ ଯୁବକ ଛିଡ଼ା ହୋଇଥିବା ସମୟରେ ଜଣେ ଯୁବତୀ ପ୍ରଥମେ ତାଙ୍କୁ ଇସାରା ଦେଇ ପାଖକୁ ଡାକିଥିଲେ । ଆଉ ତା’ପରେ ଦୁଇ ଜଣ ଯୁବତୀ ମିଶି ଉକ୍ତ ଯୁବକଙ୍କଠାରୁ ସବୁ ଲୁଟି ନେଇଥିଲେ । ପୂର୍ବରୁ ଏଭଳି ଏକାଧିକ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଲେଡି ଲୁଟେରାମାନେ ଅସଦାଚରଣ, ମିଥ୍ୟା କେସରେ ଫସାଇ ଦେବାର ଭୟ ଦେଖାଇ ଲୋକଙ୍କୁ ଜାଲରେ ଫସାଉଛନ୍ତି ।

ତେବେ ଏହା ମଧ୍ୟରେ ମହିଳା ଲୁଟେରାଙ୍କର ପୁଣି ଏକ ନୂଆ କାରନାମା ସାମ୍ନାକୁ ଆସିଛି । ଏମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁଯୋଗ ଦେଖି ଲୋକଙ୍କଠାରୁ ମନିପର୍ସ ଲୁଟି ନେଉଛନ୍ତି । ମାର୍କେଟ ବିଲିଡିଂରେ ମହିଳାଙ୍କଠାରୁ ହାତ ସଫେଇ କରିଦେଉଛନ୍ତି । ଗତ ସପ୍ତାହରେ ପାର୍କିଂ ସ୍ଥଳରୁ ୮ଟି ବାଇକ୍ ଲୁଟ୍ ନେଇ ଆସିଛି ଏକ ବଡ଼ ଅଭିଯୋଗ । ଶପିଂ କରିବା ବାହାନାରେ ଏହି ମହିଳା ଲୁଟେରାମାନେ ସବୁ ଲୁଟି ନେଉଛନ୍ତି । ଏପରିକି ଏବେ ତାତି ଅସହ୍ୟ ହେଉଥିବା ବେଳେ ଏହାର ସୁଯୋଗ ଦେଇ ପାନୀୟରେ ନିଶା ଦେଇ ଅନେକ ଲୁଟେରା ମଧ୍ୟ ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ନୟାପଲ୍ଲୀ ପୋଲିସ ଏଭଳି ଏକ ଗ୍ୟାଙ୍ଗକୁ ଧରିଥିଲା । ତେଣୁ ଏହି ମହିଳା ଲୁଟେରାଙ୍କ ପ୍ରତି ସାବଧାନ ରହିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସଚେତନ କରାଯାଇଛି ।

Get real time updates directly on you device, subscribe now.