fbpx

ସାବଧାନ୍! କାଲି ଲ୍ୟାଣ୍ଡଫଲ କରିବ ଭୟଙ୍କର ବାତ୍ୟା ‘ରେମାଲ’: ଏହିସବୁ ସ୍ଥାନରେ ରହିବ ପ୍ରଭାବ

AAKASH

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ପାଦ ଥାପିପାରେ ପ୍ରଳୟଙ୍କରୀ ବାତ୍ୟା ରେମାଲ । ପଶ୍ଚିମବଙ୍ଗ ଖାଡ଼ି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ଭୟଙ୍କର ଝଡ଼ରେ ପରିବର୍ତ୍ତନ ହୋଇପାରେ । ଏହାପରେ ମେ’ ୨୬ ତାରିଖ ରାତିରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ସମୁଦ୍ର ତଟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ରେମାଲ । ଏହି ବାତ୍ୟା ପ୍ରଭାବରେ ୧୧୦-୧୨୦ କି.ମି ବେଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବା ବେଳେ ପବନର ବେଗ ପ୍ରାୟ ୧୩୫ କି.ମି ବେଗ ପର୍ଯ୍ୟନ୍ତ ପହଞ୍ଚିପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହିତ ୨୬-୨୭ ତାରିଖକୁ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହାବ୍ୟତୀତ ପୂର୍ବୋତ୍ତର ଭାରତର କିଛି ଅଂଶରେ ୨୭-୨୮ ମେ’ ମାସରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ସମୁଦ୍ରରେ ପ୍ରାୟ ୧.୫ ମିଟର ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି, ଫଳରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ତଳୁଆ ଅଞ୍ଚଳରେ ପାଣି ପଶିଯିବାର ଭୟ ଦେଖା ଦେଇଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ମେ’ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଖାଡ଼ି ଅଞ୍ଚଳର ଉତ୍ତର ଭାଗ ସମୁଦ୍ରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛି ପାଣିପାଗ ବିଭାଗ । ସେହିପରି ୨୬ ଏବଂ ୨୭ ତାରିଖକୁ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା(ଦକ୍ଷିଣ ଏବଂ ଉତ୍ତର ୨୪ ପରଗନା) ପାଇଁ ରେଡ ଆଲର୍ଟ ଜାରି କରିଛି । ଏଠାରେ କିଛି ସ୍ଥାନରେ ପ୍ରବଳ ବଷା ହେବାର ଆଶଙ୍କା ଦେଖା ଦେଇଛି ।

ଅନ୍ୟ ପକ୍ଷରେ ଉତ୍ତର ପଶ୍ଚିମ ଭାରତ, ମଧ୍ୟପ୍ରଦେଶ ଭଳି ଇଲାକାରେ ହିଟୱେଭ ଜାରି ରହିଛି । ସେହିପରି ପଶ୍ଚିମ ହିମାଳୟ ଅଞ୍ଚଳ, ବିଦର୍ଭ, ଛତିଶଗଡ଼ରେ ମଧ୍ୟ ଆଗାମୀ ୪-୫ ଦିନ ହିଟୱେଭ ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତା ୩୧ ତାରିଖ ସୁଦ୍ଧା ଭାରତରେ ମୌସୂମୀ ଏଣ୍ଟ୍ରି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.