ଓଡ଼ିଶା ଭାସ୍କର: ବାସ୍, ଆଉ କେଇଟା ଘଣ୍ଟା… ଝିଅର ପଡ଼ିଥାନ୍ତା ହାତଗଣ୍ଠି । ନୂଆ ଜୀବନ ଆରମ୍ଭ କରିଥାନ୍ତା ଦୃଷ୍ଟି । ହସ-ଖୁସିରେ ଫାଟି ପଡ଼ୁଥିଲା ଘର, ସବୁଠି ମଉଜ ମଜଲିସ । କିନ୍ତୁ ହଠାତ ଘୋଟି ଆସିଲା ଭୟଙ୍କର ବିପଦ । ସବୁ ହସ-ଖୁସିକୁ ମାଟିରେ ମିଶାଇ ଦେଲା ଗୋଟିଏ ଅଘଟଣ । ଝିଅର ହୋମ ନିଆଁ ଜଳାଇବା ପାଇଁ ଅଣ୍ଟା ଭିଡ଼ୁଥିବା ପରିବାର ଆଗରେ କନ୍ୟା ବେଶରେ ପଡ଼ିଛି ଝିଅର ମୃତଦେହ । ଚାହୁଁଚାହୁଁ ମାଟିରେ ମିଶିଗଲା କୋଠାଘର । ଏଇ କୋଠାଘର ସହିତ ମାଟିରେ ମିଶିଗଲା ବାହାଘରର ସବୁତକ ସ୍ୱପ୍ନ । ସବାରୀରେ ଝିଅକୁ ବିଦା କରିବାକୁ ଆସି କୋକେଇରେ କାନେ୍ଧଇ ନେବ ପରିବାର । ପଞ୍ଜାବର ମୋହାଲିରେ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖାଯାଇଛି ।
ପଞ୍ଜାବର ମୋହାଲି ଜିଲ୍ଲାରେ ଏକ ବିଲଡିଙ୍ଗ ଭୁଶୁଡ଼ି ପଡ଼ିଛି । ଏହି ଅଘଟଣରେ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି । ଝିଅ ବାହାଘରକୁ ନେଇ ଖୁସିରେ ନାଚୁଥିବା ପରିବାର ଆଜି ଦୁଃଖରେ ଭାଙ୍ଗି ପଡ଼ିଛି । କାରଣ ବାହାଘରର ମାତ୍ର କେଇଟା ଘଣ୍ଟା ପୂର୍ବରୁ ଆରପାରିକୁ ଚାଲିଯାଇଛି ଝିଅ ଦୃଷ୍ଟି ବର୍ମା । ଦୃଷ୍ଟି ବର୍ମାଙ୍କ ପିତାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ଆଜି ବାହାଘର ପୂର୍ବରୁ ଦୃଷ୍ଟି ମଧ୍ୟ ଆଖି ବୁଜିଛନ୍ତି । ଦୃଷ୍ଟିଙ୍କ ବାହାଘର ପାଇଁ ଘରେ ପ୍ରସ୍ତୁତି ଲାଗି ରହିଥିବା ବେଳେ ବାହାଘର ପୂର୍ବରୁ କନିଆଁଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସାରା ପରିବାରକୁ ଏକ ଗଭୀର ଆଘାତ ଦେଇଛି । ବର୍ତ୍ତମାନ ସୁଦ୍ଧା ମୋହଲି ହସ୍ପିଟାଲକୁ କେବଳ ୨ ଜଣଙ୍କ ମୃତଦେହ ପହଞ୍ଚିଛି । ଏଥିରୁ ଜଣେ ଅଭିଷେଖ ଏବଂ ଅନ୍ୟ ଜଣେ ଦୃଷ୍ଟି ବୋଲି ଚିହ୍ନଟ କରାଯାଇଛି ।
ସୂଚନା ଥାଉ କି, ପଞ୍ଜାବ ମୋହାଲିର ସୋହାନା ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ମଲ୍ଟିଷ୍ଟୋରୀ ବିଲଡିଙ୍ଗ ଭୁଶୁଡ଼ି ପଡ଼ିବାରୁ ଏଠାରେ ମଲବେ ତଳେ କିଛି ଲୋକ ଦବି ରହି ଯାଇଥିଲେ । ଏହାପରେ ଆଜି ସକାଳେ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଗତକାଲି ରାତିରେ ଦୃଷ୍ଟିଙ୍କୁ ଜୀବିତ ଭାବରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।