fbpx

E-Shram Cardରେ ମିଳିଥାଏ ଏହିସବୁ ଫାଇଦା, ଆଜି ହିଁ ପୋର୍ଟାଲରେ ରେଜିଷ୍ଟ୍ରେସନ କରନ୍ତୁ

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ପକ୍ଷରୁ ଗତ ଅଗଷ୍ଟ ମାସ ୨୬ ତାରିଖରୁ ଇ-ଶ୍ରମ କାର୍ଡ ଲଞ୍ଚ କରାଯାଇଛି । ଅଣସଂଗଠିତ କ୍ଷେତ୍ରରେ ୩୮ କୋଟି ଶ୍ରମିକଙ୍କୁ ପଞ୍ଜୀକୃତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିସାରିଥିବା ଶ୍ରମିକଙ୍କ ସଂଖ୍ୟା ୧୦ କୋଟି ପାର ହୋଇସାରିଲାଣି । ଅଣସଂଗଠିତ ଶ୍ରମିକଙ୍କ ପାଇଁ ସର୍ବପ୍ରଥମ ନ୍ୟାସନାଲ ଡାଟାବେସ୍ ଭାବେ ଏହା ଆରମ୍ଭ କରାଯାଇଛି ।

୧୬ରୁ ୫୯ ବୟସର ସମସ୍ତ ଶ୍ରମିକ ନିଜର ରେଜିଷ୍ଟ୍ରେସନ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଶ୍ରମିକଙ୍କୁ ଏକ ୟୁନିଭରସାଲ ଆକାଉଣ୍ଟ ନମ୍ବର (ୟୁଏଏନ) କାର୍ଡ ମିଳିବ । ଏହାକୁ ଏନରୋଲ କରିବା ପାଇଁ ଆଧାର ସଂଯୁକ୍ତ ଥିବା ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡ଼ିଥାଏ । ଯେଉଁମାନଙ୍କ ପାଖରେ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ନାହିଁ, ସେମାନେ ନିକଟସ୍ଥ କମନ ସର୍ଭିସ ସେଣ୍ଟର (ସିଏସସି)କୁ ଯାଇ ବାୟୋମେଟ୍ରିକ ଅଥେଣ୍ଟିକେସନ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ ।

ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଥିବା ଶ୍ରମିକଙ୍କୁ ଏକ ଇ-ଶ୍ରମ କାର୍ଡ ଜାରି କରାଯାଇଥାଏ । ଉକ୍ତ କାର୍ଡରେ ଏକ ୟୁନିଭରସାଲ ଆକାଉଣ୍ଟ ନମ୍ବର ଥାଏ, ଯାହାକି ସମଗ୍ର ଦେଶରେ କାର୍ଯ୍ୟ କରିଥାଏ । ଏହି କାର୍ଡ ସହାୟତାରେ ଶ୍ରମିକମାନେ ଦେଶରେ ଉପଲବ୍ଧ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ଉଠାଇ ପାରିବେ । ପଞ୍ଜୀକୃତ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ବା ସ୍ଥାୟୀ ଭାବେ ଦିବ୍ୟାଙ୍ଗ ହୋଇଗଲେ ତାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଥାଏ ଓ ଅସ୍ଥାୟୀ ରୂପେ ଦିବ୍ୟାଙ୍ଗ ହେଲେ ଏକ ଲକ୍ଷ ଟଙ୍କା ମିଳିଥାଏ । https://eshram.gov.in ମୁତାବକ, ଏହି କାର୍ଡ ସମସ୍ତଙ୍କ ପାଇଁ ଫ୍ରି ଅଟେ, ମାତ୍ର କାର୍ଡରେ ଡାଟା ଅପଡେଟ କରିବା ପାଇଁ ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.