fbpx

ଭାରତର ସବୁଠୁ ଭଲ ବାସୋପଯୋଗୀ ସ୍ଥାନ ବେଙ୍ଗାଲୁରୁ, ଜାଣନ୍ତୁ ତାଲିକାଭୁକ୍ତ ଅନ୍ୟ ସ୍ଥାନ ସମ୍ପର୍କରେ…

ନୂଆଦିଲ୍ଲୀ: ସମସ୍ତଙ୍କ ଇଚ୍ଛା ଭଲ ଖାଇବେ, ଭଲ ପିନ୍ଧିବେ ଆଉ ଭଲରେ ଜୀବନ ବିତାଇବେ । ସେହିପରି ସୁନ୍ଦର ଘର ବା ସ୍ଥାନଟିଏ କାହାକୁ ଆକର୍ଷିତ ନକରେ! ତେବେ ଆମ ଦେଶର କେଉଁସ୍ଥାନ ସବୁଠୁ ଭଲ ରହିବା ଉପଯୋଗୀ ସ୍ଥାନ? ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ହେଉଛି ସବୁଠୁ ସୁନ୍ଦର ଆଉ ଭଲ ସ୍ଥାନ । ଗୃହ ଓ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ନିକଟରେ ଏହି ଘୋଷଣା କରିଛନ୍ତି । ଇଜି ଅଫ୍ ଲାଇଭିଂ ଇଣ୍ଡେକ୍ସ-୨୦୨୦ ତଥା ଦେଶର ଶୀର୍ଷ ବାସୋପଯୋଗୀ ସୂଚୀ ତାଲିକା ମନ୍ତ୍ରୀ ଉନ୍ମୋଚିତ କରିଛନ୍ତି ।

ତାଲିକା ଅନୁସାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସବୁଠୁ ଭଲ ରହିବା ଉପଯୋଗୀ ସ୍ଥାନ ଚିହ୍ନଟ ହୋଇଥିବାବେଳେ ତାପଛକୁ ପୁନେ, ଅହମ୍ମଦାବାଦ, ଚେନ୍ନାଇ ଓ ସୁରଟ ଭଳି ସହର ସ୍ଥାନିତ ହୋଇଛନ୍ତି । ମିଲିଅନ୍ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ମୋଟ ୪୯ଟି ସହରକୁ ର୍ୟାଙ୍କ ତାଲିକାଭୁକ୍ତ କରାଯାଇଥିବା ବେଳେ ଦିଲ୍ଲୀ ଏଥିରେ ୧୩ତମ ସ୍ଥାନରେ ରହିଛି । ତାଲିକାର ତଳଆଡ଼କୁ ରହିଛନ୍ତି ଅମୃତସର, ଗୌହ୍ୱାଟି, ବରେଲି, ଧାନବାଦ ଓ ଶ୍ରୀନଗର । ତେବେ ଶିମଲା ସହର ଏହାର ସ୍ୱତନ୍ତ୍ରତା ପାଇଛି । ମିଲିଅନଠୁ କମ୍ ଜନସଂଖ୍ୟା ବିଶିଷ୍ଟ ସ୍ଥାନ ହିସାବରେ ଶିମଲା ବାସୋପଯୋଗୀ ତାଲିକାର ଶୀର୍ଷରେ ରହିଛି । ଏହା ପଛକୁ ଓଡ଼ିଶାର ଭୁବନେଶ୍ୱର, ସିଲଭାସା, କାକିନ୍ଦାଡ଼ା ଓ ସାଲେମ ଆଦି ସହର ରହିଛନ୍ତି । ସେହିପରି ୬୨ ସହର ବିଶିଷ୍ଟ ତାଲିକାର ତଳଆଡ଼କୁ ରହିଛନ୍ତି ଆଲିଗଡ଼, ରାମପୁର, ନାମଚି, ସତନା ଓ ମୁଜାଫରପୁର।

ସରକାରଙ୍କ ବିଚାର ଅନୁସାରେ ଏହି ଇଣ୍ଡେକ୍ସ ଜୀବନ ଶୈଳୀର ଗୁଣବତ୍ତା ଓ ସହର ଉନ୍ନତିକରଣ ସମ୍ପର୍କରେ ଅନେକ କିଛି ଜାଣିବାକୁ ଦେଇଥାଏ । ଏପରିକି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସହାୟକ ହୋଇଥାଏ । ଏହି କ୍ଷେତ୍ରରେ ୧୧୧ ସହରର ୩୨ ଲକ୍ଷରୁ ଅଧିକ ଲୋକ ସିଟିଜେନ ପର୍ସିପସନ୍ ସର୍ଭେରେ ଭାଗ ନେଇଥିଲେ । ତେବେ ଦେଶର ଉତ୍ତରାଞ୍ଚଳର ମିଲିଅନ୍ ରୁ ଅଧିକ ଜନସଂଖ୍ୟା ବିଶିଷ୍ଠ କୌଣସି ସହର ମ୍ୟୁନିସିପାଲ୍ ପରଫର୍ମାନ୍ସ ଇଣ୍ଡେକ୍ସରେ ଟପ୍ ଟେନ୍ ତାଲିକାଭୁକ୍ତ ହୋଇପାରିନାହାନ୍ତି । ୫୧ଟି ମହାନଗର ନିଗମ ମଧ୍ୟରେ ଇନ୍ଦୋର ଶୀର୍ଷ ସ୍ଥାନରେ ରହିଥିବାବେଳେ ସୁରଟ, ଭୋପାଳ, ପିମ୍ପ୍ରି ଚିଞ୍ଚୱାଡ଼ ଓ ପୁନେ ତା ପଛକୁ ରହିଛନ୍ତି । ଶେଷ ୫ଟି ସହର ହେଉଛନ୍ତି ଅଉରଙ୍ଗାବାଦ, ଉତ୍ତର ଦିଲ୍ଲୀ, ଶ୍ରୀନଗର, କୋଟା ଓ ଗୌହ୍ୱାଟି । ଅନୁରୂପ ଭାବେ ମିଲିଅନ୍ ରୁ କମ୍ ଜନସଂଖ୍ୟା ବିଶିଷ୍ଠ ମହାନଗର ତାଲିକାରେ ଦିଲ୍ଲୀ ଶୀର୍ଷରେ ରହିଥିବାବେଳେ ତିରୁପତି, ଗାନ୍ଧିନଗର, କର୍ଣ୍ଣଲ ଓ ସାଲେମ୍ ତା ପଛକୁ ରହିଛନ୍ତି । ସେହିପରି ମୋଟ ୧୧୧ରୁ ୨୦ଟି ସହର ଋଣ ନେଇ ଉପଯୁକ୍ତ ଭାବେ ଫଣ୍ଡ ବିନିଯୋଗ କରିବାର କ୍ଷମତା ରଖିଛନ୍ତି ।

Get real time updates directly on you device, subscribe now.