fbpx
BSKY
BJD MC SKY
BJD YOUTH SKY

ଏହି ତାରିଖରେ ଦେଶରେ ହେବ ଚକା ଜାମ୍; ଡାକରା ଦେଲେ ଚାଷୀ ସଙ୍ଗଠନ

ନୂଆଦିଲ୍ଲୀ : ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ୧୦ ମାସ ପୂରିବା ପରିପ୍ରେକ୍ଷୀରେ ଚାଷୀ ସଂଗଠନ ପକ୍ଷରୁ ଏଭଳି ଡାକରା ଦିଆଯାଇଛି । ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚଣ୍ଡୀଗଡ଼ରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଲାଠିମାଡ଼ରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଚାଷୀ ଆନ୍ଦୋଳନରେ ସାମିଲ ଥିବା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ଲାଠିମାଡ଼ରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ନାମ ସୁଶୀଲ କାଜଲ ଏବଂ ତାଙ୍କର ଘର ରାମପୁର ଯାତନ ଗ୍ରାମରେ ।

ଅନ୍ୟପକ୍ଷରେ ଆହତ ଚାଷୀଙ୍କୁ କର୍ଣ୍ଣଲସ୍ଥିତ କଳ୍ପନା ଚାୱଲା ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ୪ ଜଣ ଚାଷୀଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ମୁଖ୍ୟ ରାକେଶ ଟିକାୟତ ରବିବାର ଭେଟିଛନ୍ତି । ଲାଠିମାଡ଼ ନିର୍ଦ୍ଦେଶ ଦେଇଥିବା କର୍ଣ୍ଣଲ ଏସଡିଏମ ଆୟୁଷ ସିହ୍ନା ଏବଂ ସଂପୃକ୍ତ ଅନ୍ୟ ପୁଲିସଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଦାବି କରିଛନ୍ତି । ଆନ୍ଦୋଳନକାରୀ ବାରିକେଡ ନିକଟକୁ ଆସିଲେ ସେମାନଙ୍କ ମୁଣ୍ଡ ଫଟାଇ ଦେବା ପାଇଁ ଏସଡିଏମ ପୁଲିସକୁ ନିର୍ଦେଶ ଦେଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ, ଗତକାଲି ବିଜେପି ରାଜ୍ୟଶାଖାର ବୈଠକ ଏକ ହୋଟେଲରେ ହୋଇଥିଲା । ସେହି ହୋଟେଲ ନିକଟରେ ଜାତୀୟ ରାଜପଥ-୪୪ର ବସ୍ତର ଟୋଲ ପ୍ଲାଜା ପାଖରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଥିଲା ।

Get real time updates directly on you device, subscribe now.