fbpx

ଆଜି ବାହୁଡ଼ା ଯାତ୍ରା, ବିନା ଭକ୍ତରେ ନୀଳାଚଳକୁ ବାହୁଡ଼ିବେ ମହାବାହୁ

ଶ୍ରୀକ୍ଷେତ୍ରରେ କର୍ଫ୍ୟୁ ଜାରି

ପୁରୀ,(ଓଡ଼ିଶା ଭାସ୍କର): ଆଜି ବାହୁଡ଼ା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସବୁ ଲିଳାଖେଳା ସାରିବା ନୀଳକନ୍ଦରକୁ ବାହୁଡ଼ିିବେ ନୀଳାଦ୍ରୀନାଥ  ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସେମାବର ଦିନ ବିଳମ୍ବିତ ରାତିରେ ୩ରଥରେ ଚାରମାଳ ବନ୍ଧା ଯାଇଛି । କେବଳ ଶ୍ରୀଜିଉଙ୍କ ବିଜେକୁ ଅପେକ୍ଷା । ତେବେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ସୋମବାର ରାତି ୮ଟାରୁ ଚଳିତ ମାସ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଜାରି କରାଯାଇଛି କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି ।

ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ସହ ନିର୍ଦ୍ଧାରିତ ସମୟରେ ରଥଟଣା ଶେଷ କରିବାକୁ ସମସ୍ତ ବନ୍ଦୋବସ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ । ହୋଟେଲ, ଲଜିଂ ଆଉ ଘର ମାଲିକଙ୍କୁ ବଡଦାଣ୍ଡରେ ଓ ଛାତରେ ନ ରହିବା ପାଇଁ ପୋଲିସ ପକ୍ଷରୁ ତାଗିଦ୍‌ କରାଯାଇଛି । ଏପରିକି ବଡାଦାଣ୍ଡରେ ଥିବା ଘରେ ହୋଟେଲ୍‌ ଓ ଲଜ ଉପରେ ଡ୍ରୋନ୍‌ ଦ୍ୱାରା ନଜର ରଖିବାକୁ ବ୍ୟବସ୍ଥା ହୋଇଛି । ଅର୍ଥାତ୍‌ ବଡଦାଣ୍ଡରେ ଥିବା ଘର ହେଉକି ହୋଟେଲର ଛାତ ଉପରକୁ ଗଲେ ସେ ନେଇ ପ୍ରଶାସନକୁ ସୂଚନା ଦେବ ଡ୍ରୋନ୍‌ । ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ବସିଥିବା ବୈଠକରେ ମହାବାହୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି ।

କୋଭିଡ କଟକଣା ମଧ୍ୟରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରାଯାଇଛି । ଏହାପରେ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି ଯେ କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୋଲିସର ଏନଫୋର୍ସମେଣ୍ଟ ଉପରେ ସମୀକ୍ଷା କରାଯାଇଛି । ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପହଣ୍ଡି ନୀତି ସାରି ଦିନ ୧୨ଟା ସୁଦ୍ଧା ରଥଟଣା କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ବାହୁଡା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେପଟେ ସୋମବାର ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ । ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ସମ୍ପନ୍ନ ହୋଇଛି । ଏହାପରେ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.