ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୫ ଆରମ୍ଭ ହେବା ପୂର୍ବରୁ ଶିକ୍ଷକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଶିକ୍ଷକଙ୍କ ବେତନ ବୃଦ୍ଧିକୁ ନେଇ ସରକାରଙ୍କ ତରଫରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଫଳରେ ଶିକ୍ଷକଙ୍କ ମାସିକ ବେତନରେ ୧୨-୧୩ ହଜାର ବୃଦ୍ଧି ହେବା । ଏହି ଖବର ନିଶ୍ଚିତ ଭାବେ ଶିକ୍ଷକଙ୍କ ପାଇଁ ଏକ ବଡ଼ ଶୁଭ ସମ୍ବାଦ । ଏହାଫଳରେ ଆଗାମୀ ଦିନରେ ଶିକ୍ଷକମାନେ ପ୍ରତିମାସରେ ନିଜ ଦରମାରେ ଅଧିକ ୧୨-୧୩ ହଜାର ଟଙ୍କା ପାଇବେ । ଦରମା ବୃଦ୍ଧି ପାଇଁ ପୂର୍ବରୁ ଦାବି ହୋଇ ଆସୁଥିବା ବେଳେ ଶେଷରେ ସରକାର ଶିକ୍ଷକଙ୍କ ଦୁଃଖ ଶୁଣିଛନ୍ତି ।
ସୂଚନା ମୁତାବକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ଭୁ)ରେ ଚୁକ୍ତିଭିତ୍ତିକ ଭାବେ ଶିକ୍ଷାଦାନ ଓ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ପାରିଶ୍ରମିକ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ତରଫରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ବେଳେ ଶେଷରେ ତାହାକୁ ସ୍ୱୀକାର କରାଯାଇଛି । କେବଳ ବେତନ ବଢ଼ିବ ନାହିଁ, ଗ୍ରାଚ୍ୟୁଟି ମଧ୍ୟ ମିଳିବ । ଏଥିସହିତ ସର ସୁନ୍ଦରଲାଲ ହସ୍ପିଟାଲ ଓ ଟ୍ରାମା ସେଣ୍ଟରେ ଶିକ୍ଷକ ଓ ସେମାନଙ୍କର ପରିଜନଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ।
ତେବେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଶିକ୍ଷକମାନେ ଏହି ସବୁ ସୁବିଧାର ମଜା ଉଠାଇ ପାରିବେ । ବିଶ୍ୱବିଦ୍ୟାଳୟ ତରଫରୁ ୩ଟି ବର୍ଗରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଚୁକ୍ତିରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ବା ଟିଚିଙ୍ଗ ଆସୋସିଏଟଙ୍କ ମାସିକ ବେତନ ଏବେ ୫୦ ହଜାରରୁ ବଢ଼ି ୬୩ ହଜାର କରାଯାଇଛି । ସେହିପରି ଟିଚିଙ୍ଗ ଆସିଷ୍ଟାଣ୍ଟଙ୍କ ବେତନ ୪୫ରୁ ବୃଦ୍ଧି କରାଯାଇ ୫୭ ହଜାର କରାଯାଇଛି । ସେହିପରି ଇନଷ୍ଟ୍ରକ୍ଟର ଶ୍ରେଣୀରେ ବିଶ୍ୱବିଦ୍ୟାଳୟକୁ ସେବା ଦେଇଉଥିବା ଶିକ୍ଷକଙ୍କ ପାରିଶ୍ରମିକ ୪୦ ହଜାରରୁ ୫୪ ହଜାରରୁ ବୃଦ୍ଧି କରାଯାଇଛି ।