ଭୁବନେଶ୍ୱର ପ୍ରଧାନ ହେବେ ବରଗଡ଼ ଧନୁଯାତ୍ରାର ନୂଆ କଂସ: ଚୟନ ପ୍ରକ୍ରିୟା ପରେ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ । କଂସ କଳାକାର ଭାବେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁନୀଲ କୁମର ମେହେର ଅଂଶଗ୍ରହଣ କରି ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ତେବେ ଏହା ମଧ୍ୟରେ ଆସିଛି ଫାଇନାଲ ଫଳାଫଳ ।

୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଭୁବନେଶ୍ୱର ପ୍ରଧାନ । ଜାନୁଆରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଭୁବନେଶ୍ୱର କଂସ ଭୂମିକାରେ ଅଭିନୟ କରିବେ । ଏହା ପୂବରୁ ମଧ୍ୟ ଭୁବନେଶ୍ୱର କଂସ ଭୂମିକାରେ ଅଭିନୟ କରିଥିଲେ । ଗତ ୨୦୧୭ ମସିହାରୁ ୩ ବର୍ଷ ଧରି ସେ କଂସ ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ୧୯୯୮ ଓ ୧୯୯୯ରେ ମଧ୍ୟ ସେ ଧନୁଯାତ୍ରାରେ କଂସ ହୋଇଥିଲେ । ଦର୍ଶକ ପୁଣି ଥରେ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ପାଇବେ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ନିକଟରେ ଚାକିରିରୁ ସସପେଣ୍ଡ କରାଯାଇଥିଲା । ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ହୃଷିକେଶ ୩ ହଜାର ଟଙ୍କା ଆଣିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମର ରିପୋର୍ଟ ଆଧାରରେ ହୃଷିକେଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହି ଖବରରୁ ନେଇ ବରଗଡ଼ ସମେତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହୃଷିକେଶ ଭୋଇ ଏଥର ବାଦ୍ ପଡ଼ିବା ପରେ ନୂଆ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିରେ ଭୁବନେଶ୍ୱର କୁମାର ବାଜି ମାରି ନେଇଥିଲେ । ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନଙ୍କୁ ଦର୍ଶକ ଦେଖିବାକୁ ପାଇବେ ।