ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ବଡ କାର୍ଯ୍ୟାନୁଷ୍ଠାନ; ଆଠ ଘଣ୍ଟା ମଧ୍ୟରେ ୪୦ ଉଗ୍ରବାଦୀ ସଫା

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ : ମଣିପୁରରେ ଚାଲିଥିବା ହିଂସାରେ ରବିବାର ସ୍ଥାନୀୟ ପୋଲିସ ଓ ସେନାବାହିନୀକୁ ବଡ ସଫଳତା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ସେନା ଏବଂ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାତ୍ର ଆଠ ଘଣ୍ଟା ଅପରେସନ୍ ରେ ୪୦ ଜଣ ଉଗ୍ରବାଦୀଙ୍କୁ ଗୁଳି କରି ସଫା କରିଥିବା ସୂଚନା ମିଳିଛି । ରାଜ୍ୟ ସିଏମ୍ ଏନ ବିରେନ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜିର ଅପରେସନରେ ପ୍ରାୟ ୪୦ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଶରୀର ନିକଟରୁ ଏମ୍-୧୬ , ଏକେ-୪୭ ରାଇଫଲ ଓ ସ୍ନାଇପର ବନ୍ଧୁକ ଜବତ ହୋଇଛି। ଏସବୁ ସାହଯ୍ୟରେ ସେମାନେ ହିଂସା ଘଟାଉଥିଲେ ଏବଂ ଅନେକ ଗାଁରେ ଘର ଜାଳିବାକୁ ଆସିଥିଲେ। ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ସହାୟତାରେ ଆମେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ବୋଲି ସିଏମ୍ କହିଛନ୍ତି।

ସିଏମ ବିରେନ ସିଂ କହିଛନ୍ତି ଯେ ଉଗ୍ରବାଦୀମାନେ ଅସ୍ତ୍ରଶସ୍ତ୍ରରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉଥିଲେ। ଆଜି ଦ୍ୱିପ୍ରହର ୨ ଟାରେ ଇମ୍ଫାଲ ଉପତ୍ୟକା ଏବଂ ଏହାର ଆଖପାଖରେ ପାଞ୍ଚଟି ଅଞ୍ଚଳରେ ଏକକାଳୀନ ଆକ୍ରମଣ କରିଥିଲେ। ସେହି ଅଞ୍ଚଳଗୁଡିକ ରାସ୍ତାରେ ସାଧାରଣ ନାଗରିକଙ୍କ ମୃତଦେହ ପଡ଼ିଥିବାର ସୂଚନା ରହିଛି। ଏହି ଏନକାଉଣ୍ଟରରେ ୧୦ ଜଣ ଆହତ ହୋଇଛନ୍ତି। ସେମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଅର୍ଥାତ୍ ସୋମବାର ମଣିପୁର ଗସ୍ତ କରିବାକୁ ଯାଉଛନ୍ତି। ଶାନ୍ତି ବଜାୟ ରଖିବା ଏବଂ ସ୍ୱାଭାବିକତା ଆଣିବା ପାଇଁ କାର୍ଯ୍ୟ କରିବାକୁ ସେ ଉଭୟ ମେଟାଇ ଏବଂ କୁକିଙ୍କୁ ନିବେଦନ କରିଛନ୍ତି। ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଦୁଇ ଦିନିଆ ଗସ୍ତରେ ଗତକାଲି ରାଜ୍ୟ ଗସ୍ତ କରିଥିଲେ।

Get real time updates directly on you device, subscribe now.