fbpx

Congress ଚାହୁଁଛି କ’ଣ: ପ୍ରିୟଙ୍କା ପୋଲିସକୁ ଗୋଇଠା ମାରୁଛନ୍ତି, ରାହୁଲ ନିଜ ସହଯୋଗୀଙ୍କ ସାର୍ଟ ଫାଡ଼ୁଛନ୍ତି, BJPର ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଗତକାଲି କଂଗ୍ରେସ କଳା କପଡ଼ା ପରିଧାନ କରି ମହଙ୍ଗା ମାଡ଼, ବେରୋଜଗାରୀ ଓ ଜିଏସଟିକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ବିକ୍ଷୋଭ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ନେତୃତ୍ୱ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ନେଇଥିଲେ । ତେବେ ବିକ୍ଷୋଭ ସ୍ଥଳରୁ ରାହୁଲ ଓ ପ୍ରିୟଙ୍କାଙ୍କ ସହ ଅନ୍ୟ କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇଥିଲା ।

ତେବେ କଂଗ୍ରେସର କିଛି ସାଂସଦଙ୍କୁ ପୋଲିସ ମାରପିଟ କରିଥିବା ରାହୁଲ ଅଭିଯୋଗ କରିଥିଲେ । ତେବେ ଏହା ମଧ୍ୟରେ ବିଜେପି ରାହୁଲଙ୍କୁ ନେଇ ଏକ ପାଲଟା ଅଭିଯୋଗ କରିଛି । ରାହୁଲ ଓ ପ୍ରିୟଙ୍କା ତମାଶା ରାଜନୀତି କରୁଛନ୍ତି । ବିଜେପି ଆଇଟି ୱିଙ୍ଗ ପ୍ରଭାରୀ ଅମିତ ମାଲବୀୟ ଏକ ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି । ଗହଳି ଠେଲାପେଲା ଭିତରେ କଂଗ୍ରେସ ନେତା ଦୀପେନ୍ଦ୍ର ଏସ. ହୁଡ୍ଡାଙ୍କ ସାର୍ଟ ରାହୁଲ ଫାଡ଼ୁଥିବା ଫଟୋରେ ଦେଖାଯାଉଛି । ଏନେଇ ଅମିତ କହିଛନ୍ତି, ରାହୁଲ ଜାଣିଶୁଣି ନିଜ ସହଯୋଗୀଙ୍କ ସାର୍ଟ ଫାଡ଼ିଛନ୍ତି । ଏହାଦ୍ୱାରା ଏକ ଭଲ ଫଟୋ ମିଳିଯିବ ଓ ଦିଲ୍ଲୀ ପୋଲିସକୁ ଦୋଷୀ ପ୍ରମାଣିତ କରାଯାଇ ପାରିବ ।

ତେବେ ଏହା ପୂର୍ବରୁ ଅମିତ କଂଗ୍ରେସ ମହାସଚିବ ପ୍ରିୟଙ୍କାର ଏକ ଫଟୋ ଶେୟାର କରିଥିଲେ । ପାର୍ଟି ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ହାତକୁ ମୋଡ଼ିବା ସହ ଗୋଇଲା ମାରିଥିଲେ ପ୍ରିୟଙ୍କା । ତେବେ ପ୍ରିୟଙ୍କା ପୋଲିସ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଜାଣିଶୁଣି ପୋଲିସକୁ ଦୋଷ ଦେଇଥିଲେ ବୋଲି ଅମିତ ଟ୍ୱିଟ୍ କରିଥିଲେ । ଏହି ବିକ୍ଷୋଭକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ଆରୋପ ଲଗାଇଥିଲେ । ୨୦୨୦ ମସିହା ଅଗଷ୍ଟ ୫ରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା । ତେଣୁ ତାହାକୁ ବିରୋଧ କରି କଂଗ୍ରେସ କଳା କପଡ଼ା ପରିଧାନ କରି ତୁଷ୍ଟିକରଣ ରାଜନୀତି କରୁଥିବା ଶାହ କହିଥିଲେ ।

Get real time updates directly on you device, subscribe now.