fbpx

ଭଗଓ୍ଵନ୍ତ ମାନଙ୍କ ବଡ ଘୋଷଣା, ହ୍ଵାଟ୍ସଆପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରି ପାରିବେ ଅଭିଯୋଗ

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଶପଥ ନେବା ପରେ ଆକ୍ସନ ମୋଡରେ ନଜର ଆସିଛନ୍ତି। ବୁଧବାର ସହିଦ ଭଗତ ସିଂହଙ୍କ ଗାଁରେ ଶପଥ ଗ୍ରହଣ ପରେ ଭଗଓ୍ଵନ୍ତ ମାନ ରାଜ୍ୟରେ ଦୁର୍ନୀତି ନିବାରଣ ହେଲ୍ପ ଲାଇନ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ହେଲ୍ପଲାଇନ ନମ୍ବର ଭଗତ ସିଂହଙ୍କ ସହିଦ ଦିବସ ମାର୍ଚ୍ଚ ୨୩ରେ ଲଞ୍ଚ କରାଯିବ। ଭଗଓ୍ଵନ୍ତ ମାନ କହିଛନ୍ତି, ଏହା ଜରିଆରେ ଲୋକେ ହ୍ଵାଟ୍ସଆପରେ ମଧ୍ୟ ଦୁର୍ନୀତି ସଂପର୍କିତ ଅଭିଯୋଗ କରି ପାରିବେ।

ଭଗଓ୍ଵନ୍ତ ମାନ ଗୁରୁବାର ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଭଗତ ସିଂହଙ୍କ ସହିଦ ଦିବସ ଉପଲକ୍ଷେ ଆମେ ଦୁର୍ନୀତି ନିବାରଣ ହେଲ୍ପ ଲାଇନ ନମ୍ବର ଜାରି କରିବୁ। ଏହା ମୋର ବ୍ୟକ୍ତିଗତ ହ୍ଵାଟ୍ସଆପ୍ ନମ୍ବର ହେବ। ଯଦି ଆପଣଙ୍କୁ କେହି ଲାଞ୍ଚ ମାଗୁଛି, ଏହାର ଭିଡିଓ ରେକର୍ଡିଂ କରି ମୋତେ ପଠାଇ ପାରିବେ। ଦୁର୍ନୀତି କରିଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ। ପଞ୍ଜାବରେ ବର୍ତ୍ତମାନ ଦୁର୍ନୀତି ଚାଲିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଆଜି ସକାଳେ ଟୁଇଟ୍ କରି ସୂଚନା ଦେଇଥିଲେ ଯେ, ସେ ଆଜି ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆଜି ପର‌୍ୟ୍ୟନ୍ତ କୌଣସି ରାଜ୍ୟ ସରକାର ଏମିତି ପଦକ୍ଷେପ ନେଇ ନାହାନ୍ତି। ଆମ୍ ଆଦମୀ ପାର୍ଟି ନିର୍ବାଚନ ପ୍ରଚାର ସମୟରେ ଭ୍ରଷ୍ଟାଚାରକୁ ମଧ୍ୟ ବଡ ପ୍ରସଙ୍ଗ କରିଥିଲା। ଏବେ ଭବଓ୍ଵନ୍ତ ସିଂହ ମାନ ଭଗତ ସିଂହଙ୍କ ସହିଦ ଦିବସ ଅବସରରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଲଞ୍ଚ କରି ରାଜ୍ୟବାସୀଙ୍କୁ ବଡ ସନ୍ଦେଶ ଦେବାକୁ ପ୍ରସ୍ତୁତି କରିଛନ୍ତି। ଆମ୍ ଆଦମୀ ପାର୍ଟି ରାଜ୍ୟରେ ଭଗତ ସିଂହ ଏବଂ ଭୀମରାଓ ଆମ୍ବେଦକରଙ୍କ ନୀତିକୁ ଆଗକୁ ବଢାଇବା ଉପରେ କାମ କରିବେ।

Get real time updates directly on you device, subscribe now.