fbpx

World Cup-2023; ଇଂଲଣ୍ଡର ବୃହତ୍ ବିଜୟ: ବାଂଲାଦେଶ ବିପକ୍ଷରେ ୧୩୭ ରନରେ ଜିତିଲା ବଟଲର ସେନା

ନୂଆଦିଲ୍ଲୀ: ନିଜର ଦ୍ୱିତୀୟ ମ୍ୟାଚରେ ଲୟକୁ ପେରିଛି ପୂର୍ବତନ ଚମ୍ପିଆନ୍ ଇଂଲଣ୍ଡ । ବାଂଲାଦେଶ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ବଟଲର ସେନା । ଡାଭିଡ ମଲାନଙ୍କ ବିସ୍ଫୋରକ ଶତକ ଏବଂ ଟୋପଲେଙ୍କ ଦମଦାର ବୋଲିଂ ବଳରେ ଏହି ବୃହତ ବିଜୟ ନିଜ ନାମରେ କରିଛି ଇଂଲଣ୍ଡ ଦଳ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚରେ ଦଳ ଲୟକୁ ଫେରିଛି । ୧୩୭ ରନର ଏକ ବିଶାଳ ବିଜୟ ହାସଲ କରି ଆଗାମୀ ମ୍ୟାଚଗୁଡ଼ିକ ପାଇଁ ହୁଙ୍କାର ଦେଇଛି ବଟଲର ବାହିନୀ ।

ମଲାନଙ୍କ ଶତକ ପରେ ରିସି ଟୋପଲେ ବାଂଲାଦେଶର ବିଜୟ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛନ୍ତି । ବାଂଲାଦେଶର ମଧ୍ୟକ୍ରମକୁ ସମ୍ପୂର୍ଣ୍ଣ ଅସହାୟ କରି ଦେଇଛନ୍ତି ଟୋପଲେ । ତେବେ ଇଂଲଣ୍ଡର ବୋଲିଂ ଆଗରେ ବାଂଲାଦେଶର ଦୁଇ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଅନ୍ୟ ସମସ୍ତ କେଳାଳି ଫେଲ ମାରିଥିବା ବେଳେ ଦଳର ୫ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରି ନାହାନ୍ତି । ତେବେ ବାଂଲାଦେଶ ପକ୍ଷରୁ ଓପନର ଲିଟନ୍ ଦାସ ୭୬ ରନ୍ କରିଥିବା ବେଳେ ୱିକେଟ କିପର ମୁସଫିକର ରହିମ ୫୧ ରନ୍ କରି ବିଜୟ ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ଅନ୍ୟ ଖେଳାଳିମାନଙ୍କ ବିଫଳତା ଦଳର ପରାଜୟର କାରଣ ପାଲଟିଛି ।

ତେବେ ଇଂଲଣ୍ଡ ପକ୍ଷରୁ ରିସ୍ ଟୋପଲେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି କ୍ରିସ ୱକ୍ସ ୨ଟି ସଫଳତା ପାଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହି ମ୍ୟାଚରେ ସାମ୍ କରନ୍, ମାର୍କ ଉଡ୍, ଆଦିଲ ରାଶିଦ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୧୩୭ ରନର ଏକ ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ।

ବାଂଲାଦେଶର ଅଧିନାୟକ ଶାକିବ ଅଲ ହାସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ଯାହା ଦଳ ପାଇଁ ଭୁଲ ପ୍ରମାଣିତ ହୋଇଛି । ଦଳର ଦୁଇ ଷ୍ଟାର ଓପନର ଜନି ବେୟାରଷ୍ଟୋ ଏବଂ ଡାଭିଡ ମଲାନ ବାଂଲାଦେଶୀ ବୋଲରଙ୍କ ଉପରେ ଖୁବ ପ୍ରହାର କରିଛନ୍ତି । ଏହାପରେ ଜୋ ରୁଟ ମଧ୍ୟ ଏକ ଧମାକାଦାର ଇନିଂସ କେଳିଛନ୍ତି । ତେବେ ଡାଭିଡ ମଲାନଙ୍କ ଶତକ ଏବଂ ରୁଟ-ବେୟାରଷ୍ଟୋଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏକ ବିଶାଳ ଟାର୍ଗେଟ ଦେଇଥିଲା । ତେବେ ଏହି ୩ଟି ପାଳି ବ୍ୟତୀତ ଦଳର ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସମର୍ଥ ହୋଇନାହାନ୍ତି । ମଲାନ୍ ଏହି ମ୍ୟାଚରେ ୧୪୦(୧୦୭)ରନର ଏକ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବେୟାରଷ୍ଟୋ ୫୨(୫୯) ଏବଂ ଜୋ ରୁଟ ୮୨(୬୮) ରନର ଧୂଆଁଧାର ପାଳି ଖେଳିଛନ୍ତି ।

Get real time updates directly on you device, subscribe now.