fbpx

ବନ୍ୟାର ସୁ ସୁ ଶବ୍ଦରେ ଶୋଇପାରୁନାହାନ୍ତି ଜନତା, ହେଲେ ନିଘୋଡ ନିଦରେ ନେତା

ପାଟନା: ଗତ କିଛି ଦିନର ଲଗାଣ ବର୍ଷା ପାଇଁ ବୀରପୁର ବ୍ୟାରେଜ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ବିହାରର ବହୁ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର । ନେପାଳ ସୀମାବର୍ତ୍ତୀ ସ୍ଥାନରେ ବର୍ଷା ବିତ୍ପାତ ଲାଗିରହିଥିବାରୁ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବାହିତ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବର୍ଷା ପାଇଁ ଗଣ୍ଡକ ଓ କୋସି ବ୍ୟାରେଜ ଦେଇ ଜଳ ଛଡାଯାଉଛି, ଫଳରେ ଏହା ରାଜ୍ୟର ଉତ୍ତରାଞ୍ଚଳକୁ ବନ୍ୟା ପ୍ଲାବିତ କରିଦେଇଛି ।

କୋସି ଓ ଗଣ୍ଡକ ବ୍ୟାରେଜ ଦେଇ ପାଣି ଛଡାଯିବା କାରଣରୁ ବିହାରର ସୀତାମାହିର ବହୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ମୁଜାଫରପୁର,୪୫ ହଜାରରୁ ଅଧିକ ଲୋକ ଅନ୍ଧାରରେ କାଳାତିପାତ କରୁଛନ୍ତି । ବନ୍ୟା ସ୍ଥିତିକୁ ଦେଖି ବିଦ୍ୟୁତ ବିଭାଗ ଲାଇନ ସରବରାହକୁ କାଟି ଦେଇଥିବା ସୂଚନା ରହିଛି । ପାୱାର ଗ୍ରୀଡର କଣ୍ଟ୍ରୋଲ ରୁମ ଭିତରେ ପାଣି ଲହଡି ଭାଙ୍ଗୁଛି । କତ୍ରା ବ୍ଲକର ୨୨ ପଞ୍ଚାୟତର ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି ।

କୋଶୀ ଜଳରେ ସୁପାଲ ଜଳମଗ୍ନ ହୋଇଯାଇଛି । ବହୁ ସ୍ଥାନରେ ବନ୍ୟା ଜଳ ଲୋକଙ୍କ ଘର ଭିତରେ ପସିଯାଇଛି । ଫଳରେ ଅନେକଙ୍କ ଚୁଲି ଜଳୁନାହିଁ । ବହୁ ଘର ପାଣିମାଡରେ ଭାଙ୍ଗି ପଡିଛି । ଅନେକ ଲୋକ ବାସହୀନ ହୋଇ ଅନ୍ୟମାନଙ୍କ ପିଣ୍ଡାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ବନ୍ୟା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଲୋକେ ନାନା ଦୁର୍ଦ୍ଦଶା ଭିତରେ ଦିନ କାଟୁଥିବା ବେଳେ ଜଣେ ବି ସରକାରୀ ଅଧିକାରୀଙ୍କ ଦେଖା ନାହିଁ ବୋଲି ଅଭିଯୋଗ ହେଉଛି ।

ଲୋକଙ୍କ ସମସ୍ୟା ବୁଝିବାକୁ ନା ଅଧିକାରୀ ଆସୁଛନ୍ତି, ନାହିଁ ଜନପ୍ରତିନିଧି । ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ସରକାର ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଣ ହୋଇନାହିଁ କି, ବାସହୀନଙ୍କ ମୁଣ୍ଡଗୁଞ୍ଜିବାକୁ ପାଲ କି ପଲିଥିନ ଯୋଗାଇ ଦିଆଯାଇନାହିଁ ବୋଲି ଅଭିଯୋଗ କରୁଛନ୍ତି ବନ୍ୟାପ୍ଲାବିତ ଅଞ୍ଚଳର ଜନତା ।

Get real time updates directly on you device, subscribe now.