fbpx

ବିହାରରେ ଦାରିଦ୍ର୍ୟ ହାର ସବୁଠୁ ଅଧିକ, ନବମରେ ଓଡିଶା: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ: ୨୦୧୫-୧୬ରେ ୪ର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ ନୀତି ଆୟୋଗ ରିପୋର୍ଟ ଆଧାରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ବିହାରରେ ଦାରିଦ୍ର‌୍ୟ ହାର ସବୁଠାରୁ ଅଧିକ । ନବମ ସ୍ଥାନରେ ରହିଛି ଓଡ଼ିଶା । ଦାରିଦ୍ର‌୍ୟ କ୍ଷେତ୍ରରେ ଜାତୀୟ ହାର ୨୫.୦୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୨୯ ଦଶମିକ ୩୫ ପ୍ରତିଶତ ରହିଛି । ପୂର୍ବ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାର ଦାରିଦ୍ର‌୍ୟ ହାର ୩୨. ୫୯ ପ୍ରତିଶତ ଥିଲା । ସେତେବେଳେ ୧୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା । ଓଡ଼ିଶାରେ ପ୍ରତି ତିନି ଜଣରେ ଜଣେ ଓ ୧୦୦ ଜଣଙ୍କ ମଧ୍ୟରେ ୨୯ ଜଣ ଦାରିଦ୍ର‌୍ୟ ସୀମାରେଖା ତଳେ ଅଛନ୍ତି । ନୀତି ଆୟୋଗ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ଦ୍ୱିତୀୟ ସ୍ଥାନରେ ଝାଡ଼ଖଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ବିହାରରେ ୫୧.୯୧% ଜନତା ଦାରିଦ୍ର‌୍ୟ ପ୍ରୀଡ଼ିତ ଥିବାବେଳେ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରେ ଯଥାକ୍ରମେ ୪୨.୧୬% ଏବଂ ୩୭.୭୯% ଜନତା ଦାରିଦ୍ର‌୍ୟ କବଳିତ ହୋଇଛନ୍ତି । ସଂପ୍ରତି ପ୍ରକାଶ ପାଇଥିବା ରିପୋର୍ଟରେ ରାଜ୍ୟର ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଦାରିଦ୍ର‌୍ୟ ହାରରେ ବିଶେଷ କିଛି ପରିବର୍ତନ ହୋଇନାହିଁ । ଦେଶରେ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ ଶୂନ ଦଶମିକ ୧୧୮ ରହିଛି । ଓଡ଼ିଶା କ୍ଷେତ୍ରରେ ଏହା ଶୂନ ଦଶମିକ ୧୩୬ ରହିଛି । ଏହି ସୂଚୀ ରାଜ୍ୟର ମୋଟ୍‌ ଗରିବ ଲୋକଙ୍କ ସଂଖ୍ୟା ଏବଂ ଗରିବଙ୍କ ମାତ୍ରାକୁ ନେଇ ପ୍ରସ୍ତୁତ କରାଯାଇଛି । ଜାତୀୟସ୍ତରରେ ସହରାଂଚଳର ସ୍ଥିତି ତୁଳନାରେ ଓଡ଼ିଶାରେ ସହରାଂଚଳ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି । ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର‌୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି । ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି ।

ସେହିପରି, ମାନସିକ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ସ୍କୁଲ୍‌ ଶିକ୍ଷାରୁ ୧୬.୬୬% ବଞ୍ଚିତ ଏବଂ ୪.୯୫%ଙ୍କର ସ୍କୁଲ୍‌ ଉପସ୍ଥାନ ନ ଥିବା କଥା ମଧ୍ୟ ସେଥିରୁ ଜଣାପଡ଼ିଛି । ଏହା ବ୍ୟତିିତ, ରାଜ୍ୟର ୬୫.୩୦% ଜନତା ରନ୍ଧନ ଇନ୍ଧନ, ୩୯.୫୦% ପରିମଳ, ୨୦.୯୭ ପାନୀୟ ଜଳ ୩.୦୦% ବିଜୁଳି, ୫୫.୮୧% ବାସଗୃହ, ୧୯,୨୨% ସମ୍ପତ୍ତିବାଡ଼ି, ୧୦.୯୪% ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଦିରୁ ବଞ୍ଚିତ ଅଛନ୍ତି ବୋଲି ‘ନୀତି ଆୟୋଗ ରିପୋର୍ଟ’ରେ ଉଲ୍ଲେଖ ଅଛି ।

Get real time updates directly on you device, subscribe now.