ପାଟନା: ବିହାରରେ ଏବେ ପୁଣି ରାଜନୈତିକ ହଟଚମଟ ବଢିଯାଇଛି । ୧୨ଫେବୃୟାରୀରେ ବିହାର ବିଧାନସଭାରେ ନୀତିଶ ସରକାରଙ୍କ ଅଗ୍ନିପରୀକ୍ଷା ରହିଛି । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଉଭୟ କ୍ୟାମ୍ଫରେ ଏବେ ଉଷ୍ମ ବାତାବରଣ ସୃଷ୍ଟି ହୋଇଛି । ଏବେ ବିହାରରେ ଏକ ସଙ୍ଗେ ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢିଯାଇଛି । ଫ୍ଲୋର ଟେଷ୍ଟ ପୂର୍ବରୁ ନିଜର ବିଧାୟକଙ୍କୁ ଏକଜୁଟ ରଖିବାକୁ ଉଭୟ ଆରଜେଡି ଓ ଜେଡିୟୁ ପ୍ରୟାସ ଜାରି ରଖିଛି । ଜଣାପଡିଛି କି ଉଭୟ ଦଳର ବହୁ ବିଧାୟକ ନାରାଜ ଅଛନ୍ତି । ବିହାରରେ ଗୋଟିଏ ପଟେ ତେଜସ୍ୱୀ ଯାଦବଙ୍କ ୧୨ ବିଧାୟକ ଗାଏବ ଅଛନ୍ତି ବୋଲି କୁହାଯାଉଥିବା ବେଳେ ସେମାନଙ୍କ ଫୋନ୍ ନଟ୍ ରିଚେବଲ୍ କହୁଛି । ସେହିପରି ନୀତିଶ କୁମାରଙ୍କ ଜେଡିୟୁରେ ଟେନସନ ବଢିଯାଇଛି ଓ ଏହାର କିଛି ବିଧାୟକ ବି ନାରାଜ ଅଛନ୍ତି ।
ତେବେ ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ କୌଣସି ବଡ ଧରଣର ଖେଳ ହେବା ନେଇ ଅନୁମାନ କରାଯାଉଛି । ନିଜେ ତେଜସ୍ୱୀ ଯାଦବ ବିହାରରେ ଏବେ ଅସଲ ଖେଳ ଦେଖିବାକୁ ବାକି ରହିଛି ବୋଲି କହି ରାଜନୈତିକ ଉଷ୍ମତାକୁ ଆହୁରି ବଢାଇ ଦେଇଛନ୍ତି । ସେହିପରି ଜେଡିୟୁ ପ୍ରବକ୍ତା ନୀରଜ କୁମାର କହିଛନ୍ତି ଫ୍ଲୋର ଟେଷ୍ଟରେ ଅସଲ ଖେଳ ହେବ ହିଁ ହେବ । ଏଠାରେ ପ୍ରତି ମୁହୂର୍ତ୍ତରେ କିଛି ରାଜନୈତିକ ଘଟଣା ନଜରକୁ ଆସୁଥିବା ଦେଖି ତେଜସ୍ୱୀ ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଛନ୍ତି ।
ଆଜି ସନ୍ଧ୍ୟାରେ ରାବିଡି ଦେବୀଙ୍କ ଆବାସରେ ଆରଜେଡି ବିଧାୟକ ଦଳର ବୈଠକ ବସିବ । କିନ୍ତୁ ତାଙ୍କ ଦଳର ପ୍ରାୟ ୧୨ ବିଧାୟକଙ୍କ ଫୋନ୍ ଲାଗୁ ନ ଥିବାରୁ ସେ ଏବେ ଟେନସନରେ ଅଛନ୍ତି । ତେବେ ଏହା ଉପରେ ଜେଡିୟୁ କହିଛି ଯେଉଁମାନଙ୍କର ଫୋନ୍ ଲାଗୁ ନାହିଁ ସେମାନେ ନୀତିଶ କୁମାରଙ୍କ ପକ୍ଷ ନେବେ ଏହା ସ୍ପଷ୍ଟ । ଅନ୍ୟପକ୍ଷରେ କଂଗ୍ରେସ ମନ୍ଦିରରେ ଏହାର ବିଧାୟକଙ୍କୁ ରାଣ ଖୁଆଇବାରେ ଲାଗିଛି । ଏହାକୁ ଦେଖି କୁହାଯାଉଛି ଫ୍ଲୋର ଟେଷ୍ଟରେ ଖେଳ ତ ହେବ..ମେଳା ବି ଲାଗିବ!