ସୋସିଆଲ ମିଡିଆରେ ଭାଇରାଲ ହେଲା ଲାଲୁ ପ୍ରସାଦ ଯାଦବଙ୍କ ମୃତ୍ୟୁ ଖବର, ଖଣ୍ଡନ କଲା ଆରଜେଡି

ବିହାର: ଆଉ ଦୁନିଆରେ ନାହାନ୍ତି ଲାଲୁ ପ୍ରସାଦ ଯାଦବ । ଆଜି ଏଭଳି କିଛି ଖବର ବିହାରରେ ବନ୍ୟା ପରି ବ୍ୟାପିଥିଲା । ସ୍ଥିତି କିଛି ଏପରି ହେଲା ଯେ ଲାଲୁଙ୍କ ଦଳ ଆରଜେଡିକୁ ଏହି ବିଷୟରେ ବିବୃତି ଦେବାକୁ ପଡ଼ିଛି । ରବିବାର ଲାଲୁଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ଆରଜେଡି ଖଣ୍ଡନ କରିଛି । ପାର୍ଟି ମୁଖପାତ୍ର ଚିତ୍ତରଂଜନ ଗଗନ ଏହି ଖବରକୁ ବିଭ୍ରାନ୍ତିକର ବୋଲି କହିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

ଚିତ୍ତରଂଜନ ଗଗନ ଏହି ଖବରକୁ ବିଭ୍ରାନ୍ତିକର ଖବର କହି ଖଣ୍ଡନ କରିଥିଲେ । ସୋସିଆଲ ମିଡିଆରେ ଭୁଲ ଖବର ଭାଇରାଲ ହେଉଥିବା ସେ କହିଥିଲେ । ଲାଲୁ ବର୍ତ୍ତମାନ ରାଜ୍ୟସଭା ସାଂସଦ ମିସା ଭାରତୀଙ୍କ ବାସଭବନ ଦିଲ୍ଲୀରେ ଅଛନ୍ତି । ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ, କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି। ବିରୋଧୀ ଦଳର ନେତା ତେଜସ୍ୱୀ ପ୍ରସାଦ ଯାଦବ ଶନିବାର ଦିନ ତାଙ୍କୁ ଭେଟିବା ପରେ ପାଟନାକୁ ଫେରିଛନ୍ତି।

ଗଗନ କହିଛନ୍ତି ଯେ ବିହାରର କୋଟିକୋଟି ଜନତାଙ୍କର ଭଲପାଇବା ଏବଂ ଅଶିର୍ବାଦ ତାଙ୍କ ସହ ରହିଛି । ସେ ଖୁବଶିଘ୍ର ସମ୍ପର୍ଣ୍ଣ ସୁସ୍ଥ ହୋଇ ବିହାରକୁ ଫେରିବେ । ଏକ ସୁଚିନ୍ତିତ ଯୋଜନା କରି ତାଙ୍କର ମିଥ୍ୟା ମୃତ୍ୟୁ ଖବର ଭାଇରାଲ କରାଯାଉଥିବା ସେ କହିଥିଲେ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ।

ଯିଏ କେହି ବି ଏହି କାର୍ଯ୍ୟ କରିଛି ତାହା ଅତ୍ୟନ୍ତ ଲଜ୍ୟାଜନକ । ନିଶ୍ଚିତ ଭାବରେ ଏହିପରି ଲୋକମାନଙ୍କର ଯେକୌଣସି ସ୍ଥାନରୁ ସମାଜରେ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ । ଏହିପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।