‘ବିକାନେରୱାଲା’ର ପ୍ରତିଷ୍ଠାତା ଲାଲା କେଦାରନାଥଙ୍କ ପରଲୋକ: ରାସ୍ତାରେ ରସଗୋଲା ବିକ୍ରି କରି ଛିଡ଼ା କରିଥିଲେ ୧୩୦୦ କୋଟିର ସଂସ୍ଥା

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ମିଠା ବ୍ୟବସାୟୀ ଲାଲା କେଦାରନାଥ ଅଗ୍ରୱାଲଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ କେଦାରନାଥଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ମିଠା ଓ ନମକୀନର ଜଣାଶୁଣା ଚେନ ଭାବେ ପରିଚିତ ‘ବିକାନେରୱାଲା’ର ସେ ପ୍ରତିଷ୍ଠାତା ଥିଲେ । ତାଙ୍କର ବିୟୋଗ ନେଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । କେଦାରନାଥ କଠିନ ସଂଘର୍ଷ ବଳରେ କୋଟି କୋଟି ଟଙ୍କାର ସଂସ୍ଥା ଛିଡ଼ା କରିପାରିଥିଲେ ।

କେଦାରନାଥଙ୍କର ସଂସ୍ଥା ବିକାନେରୱାଲାର ସାରା ଦେଶରେ ୬୦ରୁ ଅଧିକ ଦୋକାନ ରହିଛି । ଏଥିସହିତ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ନେପାଳ, ସଂଯୁକ୍ତ ଆରବ ଅମିରାତ (ୟୁଏଈ) ପରି ବହୁ ଦେଶରେ ମଧ୍ୟ ସେ ତାଙ୍କର ବ୍ୟବସାୟକୁ ବିସ୍ତାର କରିପାରିଥିଲେ । ପ୍ରାରମ୍ଭିକ ସମୟରେ ପୁରୁଣା ଦିଲ୍ଲୀରେ ଭୁଜିଆ ଓ ରସଗୋଲା ବିକ୍ରି କରୁଥିଲେ କେଦାରନାଥ । ଆଜି ତାଙ୍କର ସଂସ୍ଥା ବିକାନେରୱାଲର ଟର୍ଣ୍ଣ ଓଭର ଆଜି ୧୩୦୦ କୋଟିରେ ପହଞ୍ଚିଛି ।

କେଦାରନାଥ ନିଜର ବ୍ୟବସାୟିକ ଯାତ୍ରା ଦିଲ୍ଲୀରୁ ଆରମ୍ଭ କରିଥିଲେ । କେଦାରନାଥ ବିକାନେରର ବାସିନ୍ଦା ଥିଲେ ଓ ସହରର ଏକ ଗଳିରେ ତାଙ୍କ ପରିବାରର ଏକ ମିଠାଇ ଦୋକାନ ଥିଲା । ସେହି ଦୋକାନର ନାମ ବିକାନେର ନମକୀନ ଭଣ୍ଡାର ରଖାଯାଇଥିଲା । ସେଠାରେ ବିଭିନ୍ନ ପ୍ରକାରର ମିଠାଇ ଓ ମନକୀନ ଜିନିଷ ବିକ୍ରି କରାଯାଉଥିଲା । ବଡ଼ ସ୍ୱପ୍ନ ନେଇ ନିଜ ଭାଇ ସତ୍ୟନାରାୟଣ ଅଗ୍ରୱାଲଙ୍କ ସହିତ ୧୯୫୦ ଦଶକ ପ୍ରାରମ୍ଭରେ କେନାରନାଥ ଦିଲ୍ଲୀ ଆସିଥିଲେ । ପ୍ରାରମ୍ଭିକ ସମୟରେ କେଦାରନାଥ ଦିଲ୍ଲୀ ସଡ଼କରେ ବାଲଟିରେ ଭୁଜିଆ ଓ ରସଗୋଲା ବିକ୍ରି କରୁଥିଲେ । ମାତ୍ର କଠିନ ପରିଶ୍ରମ ଓ ଧୈର୍ଯ୍ୟ ବଳରେ ଦିଲ୍ଲୀରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ଧୀରେଧୀରେ ତାଙ୍କ ବ୍ୟବସାୟ ବଢ଼ିଥିଲା ଓ ତାଙ୍କ ମିଠା ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲା । ତାଙ୍କର କମ୍ପାନୀ ଆଗକୁ ଆଇପିଓ ଆଇବାକୁ ପ୍ରସ୍ତୁତି ଚଳାଇବା ସହିତ ୨୦୩୦ ସୁଦ୍ଧା ୬୦୦ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି ।