fbpx

Bitcoin Fraud: ବିଟକଏନ ଲୋଭ ପଡ଼ିଲା ମହଙ୍ଗା, ୩ ଦିନରେ ଲୁଟିନେଲେ ୪୦ ଲକ୍ଷ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଦେଖିବାକୁ ମିଳିଛି ସାଇବର ଠକେଇ । ବିଟକଏନରେ ବିନିଯୋଗ କରି ବିପୁଳ ଲାଭ କରିବାର ଲୋଭ ୪୦ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ। ଏଠାରେ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ପାର୍ଟ ଟାଇମ୍ ଚାକିରି ପାଇଁ ଅଫର୍ ପାଇଥିଲେ । ଏହା ପରେ ଠକ ତାଙ୍କୁ ବିଟକଏନ୍‌ରେ ପୁଞ୍ଜି ବିନିଯୋଗ କରି ବିପୁଳ ଲାଭ ଅର୍ଜନ କରିବାର ଲୋଭ ଦେଖାଇ ତିନି ଦିନ ମଧ୍ୟରେ ୪୦ ଲକ୍ଷ ଟଙ୍କା ତାଙ୍କଠାରୁ ଲୁଟି ନେଇଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଟଙ୍କା ହରାଇଥିବା ବ୍ୟକ୍ତି କହିଛନ୍ତି ଯେ ପ୍ରଥମେ ତାଙ୍କୁ ସୋସିଆଲ ମିଡିଆରେ ପାର୍ଟ ଟାଇମ୍ ଚାକିରି ପାଇଁ ଅଫର ଆସିଥିଲା। ସେ ସୋସିଆଲ ମିଡିଆରେ ଏ ନେଇ ଏକ ମେସେଜ ପାଇଥିଲେ । ତେବେ ଏଥିରେ ଭଲ ପରିମାଣର ଦରମା ଉଲ୍ଲେଖ ଥିବା କାରଣରୁ ବ୍ୟକ୍ତି ଏହି ଚାକିରୀ ପାଇଁ ରାଜି ହୋଇଥିଲେ । ପ୍ରଥମେ ତାଙ୍କୁ ଏକ ୟୁଟ୍ୟୁବ୍ ଭିଡିଓ ପଠାଯାଇଥିଲା ଏବଂ ତା’କୁ ଲାଇକ କରି ଏବଂ ତାହାର ସ୍କ୍ରିନସଟ୍ ନେବାକୁ କୁହାଯାଇଥିଲା । ପରେ ସେହି ସ୍କ୍ରିନସଟକୁ ସମାନ ଟେଲିଗ୍ରାମ ନମ୍ବରକୁ ପଠାଇବାକୁ କୁହାଯାଇଥିଲା । ତେବେ ଏପରି କରିବା ପରେ ପୁରସ୍କାର ଭାବରେ ଅଳ୍ପ କିଛି ଅର୍ଥ ତାଙ୍କ ଆକାଉଣ୍ଟକୁ ଆସିଥିଲା ।

ତେବେ କିଛି ଦିନ ପରେ ତାଙ୍କୁ ‘ଭିଭିଆଇପି’ ଗ୍ରୁପରେ ଯୋଡି ଦିଆଯାଇଥିଲା। ଏଠାରେ ପ୍ରଥମେ ୧୦୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏହା କରିବା ପରେ ତାଙ୍କୁ ଏକ ଲିଙ୍କ୍ ପଠାଯାଇଥିଲା ଏବଂ ବିଟକଏନରେ ବିନିଯୋଗ କରିବାକୁ କୁହାଯାଇଥିଲା । ତେବେ ମାତ୍ର ତିନି ଦିନ ମଧ୍ୟରେ ସେ ୬୩ ଟି କାରବାର କରିଥିଲେ ଏବଂ ପ୍ରତ୍ୟେକ କାରବାର ସହିତ ତାଙ୍କ ବିଟକଏନ୍ ଆକାଉଣ୍ଟରେ ପୁରସ୍କାର ରାଶି ବଢ଼ୁଥିଲା ।

ସେ କହିଛନ୍ତି, “ନିର୍ଦ୍ଦେଶନାମା ଅନୁଯାୟୀ ମୁଁ ଦିନରେ ୭.୫ ଲକ୍ଷରୁ ଅଧିକ ଟଙ୍କା କାରବାର କରିବା ପରେ ମଧ୍ୟ ଖେଳରେ ମୋର ସମସ୍ତ ଟଙ୍କା ହରାଇଥିଲି। ଫେରସ୍ତ ପାଇଁ ସମାଧାନ ମାଗିବା ପରେ ସ୍କାମରମାନେ ମୋତେ ଆଉ ୨୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ଏହା ପରେ ସେମାନେ ଅଧିକ ଟଙ୍କା ମାଗିବା ଆରମ୍ଭ କଲେ ଏବଂ ନିଶ୍ଚିତ କଲେ ଯେ ଯଦି ଆଉ କିଛି ଟଙ୍କା ଦିଆଯାଏ ତେବେ ମୋ’ର ସମସ୍ତ ପଇସା ଫେରସ୍ତ କରିବେ। ”

ପୀଡିତ ତାଙ୍କର କଟାଯାଇଥିବା ରାଶି ଫେରାଇବାକୁ ସେ ଅଗଷ୍ଟ ୨୪ ରୁ ୨୬ ମଧ୍ୟରେ ଅଧିକ ଟଙ୍କା ବିନିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ଫେରସ୍ତ ଆବେଦନ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଉଥିଲା। ତେବେ ଏହା ପରେ ସେ ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ । ସେତେବେଳକୁ ସେ ୪୦ ଲକ୍ଷ ଟଙ୍କା ହରାଇ ସାରିଥିଲେ।

ତେବେ ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପୋଲିସ ଟିମ୍ ତାଙ୍କ ଆକାଉଣ୍ଟରୁ କରାଯାଇଥିବା କାରବାର ଏବଂ କେଉଁଠୁ ଟଙ୍କା ସ୍ଥାନାନ୍ତର ହୋଇଛି ତାହାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.