fbpx

ନିତି ଆୟୋଗର ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର, (ଓଡିଶା ଭାସ୍କର): ନିତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ରିପୋର୍ଟକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ରିପୋର୍ଟ ଦ୍ୱାରା ଓଡ଼ିଶାର ଦାରିଦ୍ର୍ୟତା ପଦାରେ ପଡ଼ିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେହିପରି ଏସଡିଜି ରିପୋର୍ଟକୁ ନେଇ ବିଜେଡି ପ୍ରଶ୍ନ ଉଠାଇବା ସହ ରାଜ୍ୟର ବିକାଶର ସ୍ଥିତି ଭଲ ରହିଛି ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ଏସଡିଜି ରିପୋର୍ଟରେ ଓଡ଼ିଶାକୁ ୧୯ତମ ସ୍ଥାନ ମିଳିଥିଲା । ତେବେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ବିଜେଡିକୁ ୫ଟି ପ୍ରଶ୍ନ କରିବା ସହ କହିଛନ୍ତି ଯେ, ବିଜେଡି ରାଜ୍ୟରେ ୨୧ ବର୍ଷ ଶାସନ କଲା ପରେ ମଧ୍ୟ ରାଜ୍ୟର ୩୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ଓଡ଼ିଶା ଦାରିଦ୍ର୍ୟ ଦୂରୀକରଣରେ ତଳେ ଆଡ଼ୁ ୩ୟ, କ୍ଷୁଧାମୁକ୍ତିରେ ତଳ ଆଡ଼ୁ ୬ଷ୍ଠ ଓ ଆର୍ଥିକ ବିକାଶରେ ତଳଆଡ଼ୁ ୨ୟ ସ୍ଥାନରେ ରହିଛି । ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ତଳଆଡ଼ୁ ୫ମ ସ୍ଥାନରେ ରହିବା ନିହାତି ଲଜ୍ଜାଜନକ ବିଷୟ । ଏହା ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାକତା ବୋଲି ସେ ଅପରାଜିତା କହିଥିଲେ ।

ଅପରପକ୍ଷେ ବିଜେପି ସାଂସଦ ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ ମୁହଁ ଖୋଲିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ନୀତି ଆୟୋଗର ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ, ତେଣୁ ରିପୋର୍ଟକୁ ନେଇ ରାଜନୀତିକରଣ କରାଯିବା ଅନୁଚିତ୍ । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ମାର୍କ ଓ ୨୦୨୦ରେ ୬୧ ମାର୍କ ପାଇଥିଲା । ଏହି ରିପୋର୍ଟରେ କେଉଁ ରାଜ୍ୟ ତଳେ ବା କେଉଁ ରାଜ୍ୟ ଉପରେ ରହିଛି ତାହାର କୌଣସି ସଂଜ୍ଞା ହିଁ ନାହିଁ ବୋଲି ଅମର କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.