fbpx

ଓଡ଼ିଶାରେ ବିଜେଡି ପୁଣି ଏକ ନମ୍ବର, ବିଜେପିକୁ ପଡ଼ିଲା ଶନିଦଶା, କଂଗ୍ରେସକୁ ବୃହସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଶେଷ ହୋଇଛି । ମୋଟ ୩୧୫ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୮୨ଟି, କଂଗ୍ରେସ ୧୬ଟି ଓ ବିଜେପି ୧୨ଟିରେ ଆଗୁଆ ରହିଛନ୍ତି । ତେବେ ବିଜେଡି ପୂର୍ବପରି ଏକ ନମ୍ବରରେ ରହିଥିବା ବେଳେ ତା’ର ଛାଇକୁ ଛୁଇଁପାରି ନାହାନ୍ତି ଅନ୍ୟ କୌଣସି ଦଳ । ଚଳିତ ବର୍ଷର ସବୁଠାରୁ ରୋମାଞ୍ଚକର କଥା ହେଉଛି ବିଜେପିର ଅଧପତନ । କ’ଣ ଏପରି ହେଲା ଯେ ଦଳର ପ୍ରଦର୍ଶନ ଏତେ ନିମ୍ନମାନର ହୋଇଗଲା । ଗତ ୨୦୧୭ରେ ମୋଟ ୮୪୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୨୯୭ଟି ଆସନ ଅକ୍ତିଆର କରି ବିଜେଡିକୁ କଡ଼ା ଟକ୍କର ଦେଇଥିଲା । ଅନ୍ୟପକ୍ଷରେ ଦୁର୍ବଳ ମନେହେଉଥିବା କଂଗ୍ରେସ ବିଜେପିକୁ ଚଳିତ ଥର ପଛକୁ ଠେଲିବାରେ ସକ୍ଷମ ହୋଇଛି ।

ତେବେ ନିର୍ବାଚନ କମିଶନଙ୍କ ଘୋଷଣା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଯିବ । ଏହି ଅଙ୍କରେ କିଛି ଉପର ତଳ ହୋଇପାରେ, ମାତ୍ର ଏତେ ବଡ଼ ଧରଣର ଫରକ ଏହା ପକାଇ ନପାରେ । ଆଜି ୩୦୭ଟି ଓ ଆସନ୍ତା କାଲି ୨୨୮ଟି ଆସନର ନିମନ୍ତେ ଗଣତି ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇସାରିଛି । ଗତ ୨୦୧୨ ନିର୍ବାଚନରେ ବିଜେପି ମାତ୍ର ୩୬ଟି ଆସନ ଅକ୍ତିଆର କରିଥିବା ବେଳେ ପରବର୍ତ୍ତୀ ନିର୍ବାଚନରେ ସମସ୍ତଙ୍କୁ ଚକିତ କରିଦେଇଥିଲା । ୧୬ଟି ଜିଲ୍ଲାରେ ବିଜେପି ଖାତା ଖୋଲି ପାରିନଥିବା ବେଳେ ନିଜର ଗଡ଼ରେ ମଧ୍ୟ ଧରାଶାୟୀ ହେବାକୁ ବାଧ୍ୟ ହୋଇଛି । ତେବେ କ’ଣ ହୋଇପାରେ ଏହା ପଛର କାରଣ? ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅଣଦେଖା କରିନାହାନ୍ତି ତ?

Get real time updates directly on you device, subscribe now.