fbpx

ବଙ୍ଗ ବିଜେପିରେ ତେଜୁଛି ଅଶାନ୍ତି, ରାଜ୍ୟ ମଙ୍ଗୁଆଳ ହଟହଟା

କୋଲକାତା: ସରିଛି ନିର୍ବାଚନ କିନ୍ତୁ ଥମିନି ଅଶାନ୍ତି। ପଶ୍ଚିମବଙ୍ଗ ବିଜେପିରେ ଏଭଳି ଅବସ୍ଥା। ତୃଣମୂଳସ୍ତରରେ କର୍ମୀମାନେ ଖୁବ୍ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ତଥା ବଡ଼ ପଦବୀରେ ଥିବା ନେତୃତ୍ୱକୁ ତୃଣମୂଳ ସ୍ତରର କର୍ମୀ ପସନ୍ଦ କରୁନାହାନ୍ତି। ଏହାର ଏକ ଝଲକ ଦେଖିବାକୁ ମିଳିଛି। ଦଳର ସାଂଗଠନିକ ବୈଠକ ପାଇଁ ଯାଇଥିବା ରାଜ୍ୟ ମୁଖିଆଙ୍କୁ ହଟହଟା ହେବାକୁ ପଡ଼ିଛି। ବୁଥ୍‌ସ୍ତରର କର୍ମକର୍ତ୍ତା ରାଜ୍ୟ ବିଜେପି ମଙ୍ଗୁଆଳ ଦିଲ୍ଲୀପ ଘୋଷଙ୍କୁ ଘେରିବା ସହ ସେମାନଙ୍କ ଦାବି ଜଣାଇଛନ୍ତି। ହୁଗଳିର ଚୁଚୁରାରେ ଏଭଳି ଦୃଶ୍ୟ ଦେଖାଯିବା ପରେ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି।

ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ଭଙ୍ଗ କରାଯିବା ସହ ଅଧ୍ୟକ୍ଷ ଗୌତମ ଚାଟାର୍ଜୀଙ୍କୁ ଦଳରୁ ହଟାଇବା ପାଇଁ କର୍ମୀମାନେ ଦାବି କରିଛନ୍ତି। ଏହାକୁ ନିଶ୍ଚିତ ଭାବେ ଦଳୀୟ ହାଇକମାଣ୍ଡଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଶ୍ରୀ ଘୋଷ ବୁଝାଇଥିବା ବେଳେ ଜିଲ୍ଲା ମୁଖ୍ୟ ଶ୍ରୀ ଚାଟାର୍ଜୀ ଦେଇଛନ୍ତି ଭିନ୍ନ ମତ।  ଦଳର ବରିଷ୍ଠ ନେତାଙ୍କୁ କର୍ମୀମାନେ ଅଭିଯୋଗ କରିବାର ଅଧିକାର ରହିଛି । ତେବେ  ଅନୁଶାସନ ନେଇ ଦଳ ମଧ୍ୟରେ କୌଣସି ସାଲିସ କରାଯିବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଦଳ ମଧ୍ୟରେ ଉଠିଥିବା ଏଭଳି ଅଶାନ୍ତିକୁ ନେଇ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଦାୟୀ କରିଛି ବିଜେପି। ଭିଡ଼ ମଧ୍ୟରେ ପଶି TMC କର୍ମୀ ଗଣ୍ଡଗୋଳ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା। ସେହିପରି ଟିଏମ୍‌ସି ହୁଗୁଳି ଜିଲ୍ଲା ଅଧ୍ୟକ୍ଷ ଅଭିଯୋଗ ଖଣ୍ଡନ କରିବା ସହ ବିଜେପି ଆତ୍ମସମୀକ୍ଷା କରୁ ଓ ଅନ୍ୟକୁ ଦୋଷ ଲଦିବାରୁ ନିବୃତ୍ତ ରହୁ ବୋଲି କହିଛନ୍ତି। ଏଥିସହ ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନ ଏବଂ ସମ୍ପ୍ରତି ବିଜେପିର ଅଭ୍ୟନ୍ତରୀଣ କନ୍ଦଳ ବେଶ୍ ସ୍ପଷ୍ଟ ଜଣାପଡ଼ୁଛି ଓ ଲୋକେ ଜାଣିସାରିଲେଣି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.