fbpx

କଙ୍ଗନାଙ୍କ ଫିଲ୍ମ ପାଇଁ ବିଜେପି-କଂଗ୍ରେସ ମୁହାଁମୁହିଁ, ତେଜିଲା ରାଜନୀତି

ନୂଆଦିଲ୍ଲୀ: ବଲିଉଡର ପଙ୍ଗା କ୍ୱିନ୍ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ’ ସମ୍ପ୍ରତି ରାଜନୀତିକ ଝଡ଼ ସୃଷ୍ଟି କରିସାରିଲାଣି । ଏହି ପ୍ରସଙ୍ଗକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିସାରିଲେଣି । ଉଲ୍ଲେଖଯୋଗ୍ୟ ଯେ ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ ହୋଇଥିଲା ଜରୁରିକାଳୀନ ପରିସ୍ଥିତି (ଇମର୍ଜେନ୍ସୀ) । ଏହି ବିଷୟକୁ ଭିତ୍ତି କରି ଏକ ଫିଲ୍ମ ନିର୍ମାଣ କରୁଛନ୍ତି କଙ୍ଗନା । ସବୁଠାରୁ ବଡ଼ କଥା ଏହି ‘ଇମର୍ଜେନ୍ସୀ’ ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକା ନିର୍ବାହ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେବେ । ଇନ୍ଦିରାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ କଙ୍ଗନା ଆସନ୍ତା ମାସରେ ତାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମି ପ୍ରୟାଗରାଜ ପରିଦର୍ଶନ କରିବାକୁ ଯିବେ । ହେଲେ ଏହି ଫିଲ୍ମ ନିର୍ମାଣ ପୂର୍ବରୁ ରାଜନୀତିକ ଝଡ଼ ସୃଷ୍ଟି କରିସାରିଲାଣି ।

କଂଗ୍ରେସ ବିଜେପିର ଏଜେଣ୍ଟ ଭାବେ ‘ଇମର୍ଜେନ୍ସୀ’ ଫିଲ୍ମ ଆଳରେ ଇନ୍ଦିରା ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଅଭିଯୋଗ କରିଛି । ସେହିପରି ବିଜେପି ପ୍ରଶ୍ନ ଉଠାଇଛି ଯେ ଇନ୍ଦିରାଙ୍କ ନାମକୁ ନେଇ ଗାଳି ଦେଉଥିବା କଂଗ୍ରେସ ତାଙ୍କ ଦ୍ୱାରା ଲଗାଯାଇଥିବା ‘ଇମର୍ଜେନ୍ସୀ’ କଥା ଉଠିଲେ ଭୟ କରୁଛି କାହିଁକି? କଂଗ୍ରେସ କହିଛି କଙ୍ଗନାଙ୍କୁ ପ୍ରୟାଗରାଜକୁ ପ୍ରବେଶ କରେଇଦେବନି । କିନ୍ତୁ ବିଜେପି ଏହାର ଜବାବରେ କହିଛି ଯେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଦେଶର ଝିଅ କଙ୍ଗନାଙ୍କୁ ଯୋଗୀ ସରକାରଙ୍କ ଆଇନ ଅନୁଯାୟୀ ପ୍ରୟାଗରାଜକୁ ଆସିବା ନେଇ କେହି ବି ରୋକି ପାରିବେ ନାହିଁ । ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ ଦେଶରେ ଜରୁରିକାଳୀନ ପରିସ୍ଥିତି ଏକ ଅନ୍ଧକାର ଅଧ୍ୟାୟ । ଯେପର୍ଯ୍ୟନ୍ତ ରାଜ୍ୟରେ ଯୋଗୀ ସରକାର ଅଛି, କେହି କାହାକୁ ଆସିବାକୁ ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ସେପଟେ ପ୍ରୟାଗରାଜ କଂଗ୍ରେସ ଜିଲ୍ଲା ସଭାପତି ହସିବ ଅହମ୍ମଦ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ହିଁ ନିଜର ବଳିଦାନ ଦେଇ ଦେଶର ମାନ ଓ ସମ୍ମାନ ରକ୍ଷା କରିଥିଲେ । କିନ୍ତୁ ଫିଲ୍ମରେ କାମ କରୁଥିବା କଙ୍ଗନା ବିଜେପିର ଏଜେଣ୍ଟ ସାଜି ଇନ୍ଦିରାଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.