fbpx

Tokyo Olympics 2020 : ମନୁ ଭାକରଙ୍କଠୁ ନେଇ ନୀରଜ ଚୋପ୍ରା ପର୍ଯ୍ୟନ୍ତ, ଏହି ୬ ଖେଳାଳିଙ୍କଠୁ ରହିଛି ପଦକ ଆଶା

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ ୨୦୨୦ ଆରମ୍ଭ ହେବାକୁ  ଆଉ କେଇ ଘଣ୍ଟା ବାକି ରହିଛି। କ୍ରୀଡା ମଞ୍ଚ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ। ଅପେକ୍ଷା ଅଲିମ୍ପିକର ଶୁଭାରମ୍ଭକୁ। ଖେଳର ଏହି ମହାକୁମ୍ଭ ପାଇଁ ଅଧିକାଂଶ ଖେଳାଳି କ୍ରୀଡାଗ୍ରାମରେ ପହଞ୍ଚି ସାରିଛନ୍ତି। ଭାରତୀୟ ଦଳ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ। ଏମିତି ଅନେକ ଖେଳାଳି ଅଛନ୍ତି, ଯାହାଙ୍କଠୁ ଦେଶ ପଦକ ଆଶା ରଖିଛି।

ଭାରତକୁ ଟୋକିଓ ଅଲିମ୍ପିକରେ ସୁଟିଂ, ଆର୍ଚେରୀ, ଭାରୋତ୍ତୋଳନ, ବକ୍ସିଂ, ରେସଲିଂ ଓ ଭାଲା ଫିଙ୍ଗାରେ ପଦକ ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୭ରେ ଟୋକିଓ ଅଭିମୁଖେ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିରେ ୮୮ ସଦସ୍ୟ ସାମିଲ ଥିଲେ।

ସୁଟିଂରେ ସୌରଭ ଚୌଧୁରୀ ଓ ମନୁ ଭାକରଙ୍କ ଉପରେ ନଜର

ଭାରତ ପକ୍ଷରୁ ଏଥର ସୁଟିଂରେ ୧୫ ସୁଟର ଅଂଶଗ୍ରହଣ କରୁଛନ୍ତି। ଏଥିରେ ୯ ଜଣ(୪ ପୁରୁଷ ଓ ୫ ମହିଳା) ସୁଟର ଏମିତି ଅଛନ୍ତି, ଯେଉଁମାନେ ଆଇଏସଏସଏଫ ମାନ୍ୟତାରେ ବର୍ତ୍ତମାନ ଟପ୍ ୩ରେ ଅଛନ୍ତି। ଏଥିରେ ସବୁଠୁ ଶୀର୍ଷରେ ଅଛନ୍ତି ସୌରଭ ଚୌଧୁରୀ, ଯିଏ ବିଶ୍ଵ କପରେ ୭ ସ୍ଵର୍ଣ୍ଣ ପଦକ ନିଜ ନାମରେ କରି ସାରିଛନ୍ତି। ଏହା ବ୍ୟତୀତ ଅଭିଷେକ ବର୍ମା, ମନୁ ଭାକର, ଦିବ୍ୟାଂଶ ସିଂହ ପନଓ୍ଵାର, ଐଶ୍ଵର୍ଯ୍ୟା ପ୍ରତାପ ସିଂହ ଓ ରାହି ସରନୋବତ ମଧ୍ୟ ପ୍ରବଳ ଦାବିଦାର।

ଭାରୋତ୍ତୋଳନରେ ମୀରାବାଇ ଚାନୁଙ୍କଠୁ ଆଶା

୨୦୧୭ର ବିଶ୍ଵ ଚାମ୍ପିଅନଶିପ ୨୬ ବର୍ଷୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକରେ ବିଶ୍ଵର ନମ୍ବର ୩ ଖେଳାଳି ଭାବେ ୪୮ କିଲୋଗ୍ରାମ ବର୍ଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆଶା ରଖିଛନ୍ତି। ମୀରାବାଇ ଏପ୍ରିଲରେ ଆୟୋଜିତ ଏସୀୟ କ୍ରୀଡାରେ ‘କ୍ଲିନ ଆଣ୍ଡ ଜର୍କ’ରେ ବିଶ୍ଵ ରେକର୍ଡ ପ୍ରତିଷ୍ଠା କରିଥିଲେ।

ଦୀପିକା କୁମାରୀ କରି ପାରନ୍ତି କମାଲ

ମହିଳା ତୀରନ୍ଦାଜ ଦୀପିକା କୁମାରୀ ଗତ ମାସରେ ପ୍ୟାରିସରେ ଆୟୋଜିତ ବିଶ୍ଵ କପରେ ତିନୋଟି ସ୍ଵର୍ଣ୍ଣ ପଦକ ଜିତି ଟୋକିଓ ଅଲିମ୍ପିକ ପାଇଁ ନିଜର ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେଇଛନ୍ତି। ଏହି ଦମଦାର ପ୍ରଦର୍ଶନ ବଳରେ ଦୀପିକା ୨୦୧୨ ପରେ ପୁଣି ଥରେ ବିଶ୍ଵ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ଦୀପିକା ମିଶ୍ରିତ ବର୍ଗରେ ନିଜର ସ୍ଵାମୀ ଅତନୁ ଦାସଙ୍କ ସହ ପଦକ ଜିତିଥିଲେ।

ପ୍ରଥମ ଥର ୯ ମୁଷ୍ଟି ଯୋଦ୍ଧା ଅଲିମ୍ପିକ ରିଙ୍ଗରେ ଓହ୍ଲାଇବେ

ପ୍ରଥମ ଥର ଅଲିମ୍ପିକରେ ଭାରତର ୯ ମୁଷ୍ଟିଯୋଦ୍ଧା ବା ବକ୍ସର ଟୋକିଓ ଅଲିମ୍ପିକର ରିଙ୍ଗକୁ ଓହ୍ଲାଇବେ। ଦିଗଜ ମହିଳା ବକ୍ସର ଏମସି ମ୍ୟାରିକମ ଉଦଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ। ବିଶ୍ଵର ନମ୍ବର ଓ୍ଵାନ ଅମିତ୍ ପଙ୍ଘାଲ ମଧ୍ୟ ପଦକର ପ୍ରବଳ ଦାବିଦାର। ଅମିତ୍ ୨୦୧୮ ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ଜିତିଥିବା ବେଳେ ୨୦୧୯ ଏସୀୟ ଚାମ୍ପିଅନଶିପ ଓ ୨୦୧୯ ବିଶ୍ଵ ଚାମ୍ପିଅନଶିପରେ ରୌପ୍ୟ ପଦକ  ଜିତିଥିଲେ।

ଭାଲା ଫିଙ୍ଗାରେ ନୀରଜ ଚୋପ୍ରା

ଭାଲା ଫିଙ୍ଗା ଆଥଲେଟ ନୀଜର ଚୋପ୍ରା ୨୦୧୮ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ନିଜର ବ୍ୟକ୍ତିଗତ ପ୍ରଦର୍ଶନରେ ପ୍ରାୟ ୩ ମିଟର ଉନ୍ନତି ଘଟାଇଛନ୍ତି। ନୀରଜଙ୍କ ବ୍ରେଷ୍ଟ ଥ୍ରୋ ୮୮.୦୭ ମିଟର ରହିଛି, ଯାହା ସେ ଚଳିତ ବର୍ଷ ପ୍ରାରମ୍ଭରେ  ଫିଙ୍ଗିଥିଲେ। ତାଙ୍କୁଠୁ ମଧ୍ୟ ଦେଶ ପଦକ ଆଶା ରଖିଛି।

କୁସ୍ତିରେ ଭିନେଶ ଓ ବଜରଙ୍ଗ ପ୍ରବଳ ଦାବିଦାର

ବିଶ୍ଵର ଏକ ନମ୍ବର ରେସଲର ଭିନେଶ ଫୋଗାଟ ମହିଳା କୁସ୍ତିରେ ପଦକ ଜିତିବାର ପ୍ରବଳ ଦାବିଦାର। ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ରବି କୁମାରଙ୍କଠୁ ମଧ୍ୟ ଦେଶ ପଦକର ଆଶା ରଖିଛି। ଏହି ସବୁ ପହିଲମାନ ଗତ କିଛି ବର୍ଷରେ ଦମଦାର ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.