ବିଜେପିକୁ ଝଟକା, ଡାକିଲେ ଷ୍ଟାଲିନ ନେତା ପଠାଇଲେ ନବୀନ

NDA ବିରୋଧୀ ମେଣ୍ଟରେ ନବୀନ ସାମିଲ! ବିଜେପିକୁ ମାତ୍ ଦେବା ପାଇଁ ନବୀନଙ୍କ ବଡ଼ ପ୍ଲାନ। ବିଜେପି ବିରୋଧୀଙ୍କ ସହ ମିଶି ଶତ୍ରୁର ଶତ୍ରୁ ମିତ୍ର ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ। ଡି-ଲିମିଟେସନ୍‌ ପ୍ରସଙ୍ଗରେ ଷ୍ଟାଲିନଙ୍କ ବୈଠକରେ ପିସିସି ସଭାପତିଙ୍କ ସହ ବିଜେଡି ନେତା ସାମିଲ!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଇଚଇ। ବିଜେପି ବିରୋଧରେ ବଡ଼ ପ୍ଲାନ କରୁଛନ୍ତି ନବୀନ। ତାହା ପୁଣି ବିଜେପିର ଶତ୍ରୁ ଦଳ ସହ ମିଶି। ଅର୍ଥାତ୍ କଂଗ୍ରେସ ସହ ମିଶି। ଏକଥା ଆମେ କହୁନାହୁଁ ନବୀନଙ୍କ ଆଚରଣ ଏବେ ସେହିଭଳି କିଛି ଇଙ୍ଗୀତ କରୁଛି। ଯାହା ଜଣା ପଡୁଛି ବିଜେପି ବିରୋଧୀ ମେଣ୍ଟ ବା NDA ବିରୋଧୀ ମେଣ୍ଟରେ ବିଜେଡି ସାମିଲ ହେବାକୁ ଯାଉଛୁ।

କାରଣ ଡି-ଲିମିଟେସନ୍‌ ପ୍ରସଙ୍ଗରେ ଷ୍ଟାଲିନଙ୍କ ବୈଠକକୁ ଦୁଇ ପ୍ରତିନିଧୀଙ୍କୁ ପଠାଇଛନ୍ତି ନବୀନ ପଟ୍ଟନାୟକ। ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ସାମିଲ ରହିବେ। ବିଜେଡିର ୨ ପ୍ରତିନିଧି ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା ଆଜି ଚେନ୍ନାଇରେ ପହଞ୍ଚିଛନ୍ତି। ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି।

ବିରୋଧୀ ଏକଜୁଟ: ତେବେ ଏବେ ସବୁଠି ଗୋଟିଏ ଚର୍ଚ୍ଚା ବିଜେପି ବିରୋଧୀ ମେଣ୍ଟ ସହ ହାତ ମିଶାଇଛନ୍ତି  ନବୀନ ପଟ୍ଟନାୟକ। ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ। ପୂର୍ବରୁ ସମଦୂରତା ନୀତି ଆପଣାଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେଲେ ଏବେ ବିଜେପି ବିରୋଧୀଙ୍କ ସହ ହାତ ମିଶାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

କାରଣ କିଛି ଦିନ ତଳେ ଡି-ଲିମିଟେସନ୍‌ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଓଡ଼ିଶାକୁ ତାଙ୍କ ପ୍ରତିନିଧି ଦଳ ପଠାଇଥିଲେ। ଏବଂ ସେମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଯଦିଓ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବୈଠକରେ ଯୋଗ ଦେବେ ବୋଲି ସେତେବେଳେ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ହେଲେ ନବୀନ ସେପକି କିଛି ପ୍ରତିଶୃତି ଦେଇନଥିଲେ। ତେଣୁ ଏହି ବୈଠକରେ ନବୀନ ସାମିଲ ହେବେ କି ନାହିଁ ତାହା ସସପେନ୍ସ ଭିତରେ ଥିଲା।

ଷ୍ଟାଲିନ ଡାକିଲେ ନବୀନ ପଠାଇଲେ: ହେଲେ ଏବେ ସେହି ସସପେନ୍ସ ଉପରୁ ପରଦା ଉଠିଛି। ଏବଂ ବିଜେପିକୁ ଶକ୍ତ ଝଟକା ଲାଗିଛି। କାରଣ ଷ୍ଟାଲିନ ଡାକିଥିଲେ ଆଉ ନବୀନ ନେତା ପଠାଇଲେ। ଅର୍ଥାତ୍ ଆସନ୍ତା କାଲି ବସିବାକୁ ଥିବା ଡି-ଲିମିଟେସନ୍‌ ପ୍ରସଙ୍ଗରେ ଷ୍ଟାଲିନଙ୍କ ବୈଠକକୁ ଦୁଇ ପ୍ରତିନିଧୀଙ୍କୁ ପଠାଇଛନ୍ତି ନବୀନ ପଟ୍ଟନାୟକ।

ବିଜେଡିର ଦୁଇ ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମାଙ୍କୁ ଚେନ୍ନାଇ ପଠାଇଛନ୍ତି ନବୀନ। ସେଠାରେ ବିଜେଡି ନେତାଙ୍କର ମଧ୍ୟ ଭବ୍ୟ ସ୍ୱାଗତ କରିଛନ୍ତି ଷ୍ଟାଲିନଙ୍କ ପ୍ରତିନିଧି। ଏହାସହ ଚେନ୍ନାଇ ବିମାନ ବନ୍ଦରରେ ପିସିସି ସଭାପତି ଏବଂ ବିଜେଡି ନେତା ଏକାଠି ନଜର ଆସିଛନ୍ତି।

ସମଦୂରତା ନୀତି ଭାଙ୍ଗିଲେ ନବୀନ: ଆଉ ଏହା ପରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଲା। ପୁଣିଥରେ ଓଡ଼ିଶାବାସୀଙ୍କ ସ୍ୱାର୍ଥର ଦ୍ୱାହି ଦେଇ, ପୂର୍ବ ସମଦୂରତା ନିଷ୍ପତ୍ତିକୁ ଢୋକି ଦେଇଛନ୍ତି ନବୀନ। ଅନ୍ୟ ୭ଟି ରାଜ୍ୟର ରାଜନୈତିକ ଦଳ ସହ ମିଶି ବିଜେପି ବିରୋଧୀ ମୋର୍ଚ୍ଚା ଖୋଲିବାକୁ ପ୍ରସ୍ତୁତ ହୋଇଛନ୍ତି ବିଜେଡି ସୁପ୍ରିମୋ।

ଯଦିଓ ଏହାର ସ୍ୱରୂପ ସ୍ପଷ୍ଟ ହେବା ଆହୁରି ବାକି ଅଛି, ରାଜନୀତି ସମୀକ୍ଷକ କିନ୍ତୁ ଏବେଠାରୁ ଭିନ୍ନ ଆକଳନ ଆରମ୍ଭ କଲେଣି। ବିଜେପି ବିରୋଧୀ ମେଣ୍ଟରେ ବିଜେଡି ସାମିଲ ହେବା ନେଇ ଆଶଙ୍କା ବଢିବାରେ ଲାଗିଛି।

ଡି-ଲିମିଟେସନ: ତେବେ ୨୦୨୬ରେ ଡି-ଲିମିଟେସନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ କେନ୍ଦ୍ର ସରକାର। ଜନସଂଖ୍ୟା ଆଧାରରେ ସଂସଦ ଓ ବିଧାନସଭା ଆସନ ସ୍ଥିର ହେବ।

ତେଣୁ ଜନସଂଖ୍ୟା ନିୟନ୍ତ୍ରଣରେ ରେକର୍ଡ କରିଥିବା ରାଜ୍ୟଗୁଡ଼ିକ ଆସନ କମିଯିବା ଆଶଙ୍କାରେ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଏହି ଆଳରେ ବିଜେପି ବିରୋଧୀଙ୍କୁ ଏକାଠି କରିବାର ମଙ୍ଗ ଧରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।