fbpx

ପ୍ରଥମ ପର୍ଯ୍ୟାୟ ମତଦାନରେ BJPକୁ ଝଟକା: ବାଜି ଜିତିବା ପାଇଁ ବଦଳିଲା ରଣନୀତି, ଲାଗୁ ହେବ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ବର୍ତ୍ତମାନ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜାରି ରହିଛି । ତେବେ ଏପ୍ରିଲ ୨୬ ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟାୟରେ ମୋଟ ୮ଟି ସିଟ ପାଇଁ ମତଦାନ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଚିନ୍ତାରେ ପଡ଼ିଯାଇଛି ଭାରତୀୟ ଜନତା ପାର୍ଟି । ଉତ୍ତର ପ୍ରଦେଶରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୮ଟି ଆସନରୁ ୫ଟି ଲୋକସଭା ଆସନରେ ୬୦ ପ୍ରତିଶତରୁ ବି କମ୍ ଭୋଟ ଗ୍ରହଣ କରାଯାଇଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜେପି ନୂଆ ମାଷ୍ଟରପ୍ଲାନ କରୁଛି । ଏଥିପାଇଁ ଭର୍ଚୁଆଲ ମିଟିଂ ଜରିଆରେ କିଛି ବଡ଼ ନିଷ୍ପତ୍ତି ନେଇଛି ବିଜେପି ।

ଏହି ପର୍ଯ୍ୟାୟରେ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ୧୦ଟି ଭୋଟ ଆଣିବା ପାଇଁ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି । ଆସନ୍ତା ପର୍ଯ୍ୟାୟରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଉପରେ ଦଳ ଫୋକସ କରିଛି । ତେଣୁ ମଣ୍ଡଳ ଅଧ୍ୟକ୍ଷଙ୍କ ଠାରୁ ଦଳର ବଡ଼ ବଡ଼ ନେତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ମତଦାନ ଦିନ ଭୋଟରଙ୍କ ସହ ସମ୍ପର୍କ କରି ସେମାନଙ୍କୁ ବୁଥରେ ପହଞ୍ଚାଇବା ପାଇଁ କାମ ଦେଇଛି ବିଜେପି । ତେବେ କାର୍ଯ୍ୟକର୍ତ୍ତାଙ୍କ ସମେତ ପନ୍ନା ପ୍ରମୁଖ ମଧ୍ୟ ଜଣେ ଜଣେ ଭୋଟରଙ୍କ ସହ ସମ୍ପର୍କ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମତଦାନ ପୂର୍ବରୁ ୨-୩ ଥର ଭୋଟରଙ୍କ ସହ ସମ୍ପର୍କ କରିବା ସହ ବାହାରେ ରହୁଥିବା ଭୋଟରଙ୍କ ଲିଷ୍ଟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଛି । ଏହାପରେ ସେମାନଙ୍କୁ ଘରକୁ ଡକାଇବା ପାଇଁ ମଧ୍ୟ ପ୍ରୟାସ କରାଯିବା ଉଚିତ୍ । ପାର୍ଟିର ବରିଷ୍ଠ ନେତାଙ୍କୁ ଶକ୍ତିକେନ୍ଦ୍ରରୁ ଏହି ଅଭିଯାନକୁ ପରିଚାଳନା କରିବା ପାଇଁ କୁହାଯାଇଛି । ଉତ୍ତରପ୍ରଦେଶରେ ରାଜ୍ୟର ସମସ୍ତ ବୁଥ, ଜିଲ୍ଲା ଏବଂ ଅଞ୍ଚଳର ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପିର ବରିଷ୍ଠ ନେତା । ସେହିପରି ଦଳିତ ଭୋଟରମାନଙ୍କୁ ମଧ୍ୟ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.