fbpx

‘ସ୍ୱାମୀଙ୍କ ସହ ରହିବି, ତାଙ୍କ ଘର ଛାଡି ଅନ୍ୟ କେଉଁ ଆଡେ ଯିବେନି’ ଜିଦ୍ ଧରିଲେ ବୋହୂ; ଶାଶୂଘର ସାମ୍ନାରେ ଧାରଣା ଦେଲେ ବିଜେପି ନେତାଙ୍କ ପତ୍ନୀ

କୋଲକାତା,(ଓଡ଼ିଶା ଭାସ୍କର): ସ୍ୱାମୀଙ୍କ ସହ ରହିବେ । ତାଙ୍କ ଘର ଛାଡି ଅନ୍ୟ କେଉଁଆଡେ ଯିବେନି । ଏମିତି ଦାବି କରି ନିଜ ଶାଶୂ ଘର ଆଗରେ ଧାରଣା ଦେଇଛନ୍ତି ଦାର୍ଜିଲିଂ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସହସଭାପତି ସଞ୍ଜୀବ ଘୋଷଙ୍କ ପତ୍ନୀ ଶ୍ୱେତା ଘୋଷ ।

ସଞ୍ଜୀବଙ୍କ ଶିଲିଗୁଡି ସ୍ଥିତ ବାସ ଭବନ ସମ୍ମୁଖରେ ବୁଧବାର ବିଳମ୍ବିତ ରାତି ଯାଏ ଧାରଣା ଦେଇଥିବା ଶ୍ୱେତା କହିଛନ୍ତି ତାଙ୍କୁ ସ୍ୱାମୀ ବହୁ ନିର୍ଯାତନା ଦେଇଛନ୍ତି । ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ତଥାପି ସେ ତାଙ୍କ ସହ ରହିବାକୁ ଚାହାଁନ୍ତି । ତାଙ୍କ ସହ ସଂସାର କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଧାରଣା ଦେଇଛନ୍ତି ବୋଲି ଶ୍ୱେତା କହିଛନ୍ତି ।

ଅନ୍ୟପଟେ ପୁଲିସ ପହଞ୍ଚି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଧାରଣାରୁ ଉଠି ନଥିଲେ । କିନ୍ତୁ ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ସେ ଧାରଣାରୁ ଉଠିବାକୁ ବାଧ୍ୟ ହୋଇଥିଲେ ।ଅପରପକ୍ଷେ ସଞ୍ଜୀବ କହିଛନ୍ତି, ତାଙ୍କ ବିରୋଧରେ ମାନସିକ ନିର୍ଯାତନା ମାମଲା ଚାଲିଛି । ଏକାଧିକ ମକଦ୍ଦମା ହୋଇଛି । ସେ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତେଣୁ ଶ୍ୱେତାଙ୍କୁ ସେ ତାଙ୍କ ଘରେ ପଶିବାକୁ ଦେବେନି ବୋଲି କହିଛନ୍ତି ।

ସୂଚନା ଥାଉକି, ପ୍ରାୟ ୩ ବର୍ଷ ତଳେ ସଞ୍ଜୀବ ଓ ଶ୍ୱେତା ପରସ୍ପରକୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା । ଏହି ଅଶାନ୍ତି ଏତେ ବଢ଼ିଥିଲା ଯେ ଶ୍ୱେତାଙ୍କ ସହ ଗୋଟିଏ ଛାତ ତଳେ ଆଉ ରହିବାକୁ ଚାହୁଁ ନାହାନ୍ତି ସଞ୍ଜୀବ ।

Get real time updates directly on you device, subscribe now.