fbpx

BJDକୁ କଡ଼ା ଟକ୍କର ଦେବ ବୋଲି କହୁଥିଲା BJP: ଜାଣନ୍ତୁ ଗେରୁଆ ଦଳର ପରାଜୟ ପଛର ୬ଟି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିବସ । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ସର୍ବାଧିକ ଜିଲ୍ଲା ପରିଷଦ ସିଟରେ ଜିତି ଆଗରେ ରହିଥିବା ବେଳେ ବହୁ ପଛରେ ପଡ଼ିଛନ୍ତି ବିଜେପି ଓ କଂଗ୍ରେସ । ଗତ ୨୦୧୭ ନିର୍ବାଚରେ ବିଜେପି ୨୯୭ଟି ସିଟ୍ ଅକ୍ତିଆର କରି ବିଜେଡିର ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା । ସେହିପରି ‘ମିଶନ ୧୨୦ ପ୍ଲସ’, ‘ଡବଲ ଇଞ୍ଜିନ’ ନାରା ଦେଇ ବିଜେପି ଗତ ୨୦୧୯ ଲୋକସଭା ନିର୍ବାଚନରେ ୮ଟି ଓ ବିଧାନସଭା ନିର୍ବାଚନରେ ୨୧ଟି ଆସନ ପାଇଥିଲା । ୨୦୨୪ ଲୋକସଭା, ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବିଜେଡିକୁ କଡ଼ା ଟକ୍କର ଦେବ ବୋଲି ବାହାସ୍ଫୋଟ ମାରୁଥିଲା । ମାତ୍ର ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ପୂରା ଫୁସ୍ ହୋଇଯାଇଛି । ଏବେ ସଭିଙ୍କ ମୁହଁରେ ଗୋଟିଏ କଥା ‘ବିଜେପି ହାରିଲା କାହିଁକି?’ ଏଥିପାଇଁ ଅନେକ କାରଣ ରହିଛି ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି ।

୧- ବିଜେପିରେ ଅନେକ ଟାଣୁଆ ନେତା ରହିଥିଲେ ହେଁ ସେମାନଙ୍କ ମଧ୍ୟରେ ଅନ୍ତଃକନ୍ଦଳ ରହିଛି । ଏପରିକି ନିର୍ବାଚନ ପୂର୍ବରୁ ସେମାନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିନଥିଲା ବୋଲି ଅନେକ ମତ ଦେଉଛନ୍ତି ।

୨- ରାଜ୍ୟ ବିଜେପିର ପୋଷ୍ଟର ବଏ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶର ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହି ଓଡ଼ିଶା ପାଇଁ ସମୟ କାଢ଼ି ପାରିଲେ ନାହିଁ । ସେହିପରି ଦଳର ଅନେକ ବରିଷ୍ଠ ନେତା ପଞ୍ଚାୟତ ନିର୍ବାଚନ ଠାରୁ ଦୂରେଇ ରହିବା ତୃଣମୂଳ ସ୍ତରରେ କର୍ମୀଙ୍କ ମନୋବଳକୁ ହ୍ରାସ କରିଥିଲା ।

୩- ନିର୍ବାଚନ ପୂର୍ବରୁ ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଫସି ରହିଥିଲେ । ଫଳରେ ସୁନ୍ଦରଗଡ଼ ଓ ମୟୂରଭଞ୍ଜର ଭୋଟକୁ ଏହା କିଛି ମାତ୍ରାରେ ପ୍ରଭାବିତ କରିଥିବ ।

୪- ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ୮ଟି ଜିଲ୍ଲାରେ ବହୁମତ ପାଇ ଜିଲ୍ଲା ପରିଷଦ ଗଠନ କରିଥିଲା, ସେ ଅଞ୍ଚଳର ଲୋକଙ୍କ ନିକଟରେ ଦଳ ପହଞ୍ଚି ପାରିନଥିଲା । ଫଳରେ ନିର୍ବାଚନରେ ଦଳକୁ ତାହାର ଫଳ ଭୋଗିବାକୁ ପଡ଼ିଲା ।

୫- ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ନିର୍ବାଚନ ଠାରୁ ଦୂରେଇ ରହିଥିଲେ । ବିଭିନ୍ନ ଅଞ୍ଚଳର ବହୁ ଟାଣୁଆ ନେତାମାନେ ଏହି ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉଥିବା ମନେ ହେଉନଥିଲା ।

୬- ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଯେପରି ଚଳଚଞ୍ଚଳତା ଭରି ରହିଥିଲା, ବିଜେପି ଶିବିରରେ ସେପରି ଦେଖିବାକୁ ମିଳିନଥିଲା । ୨୦୨୯ ନିର୍ବାଚନ ସମୟରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଓଡ଼ିଶାକୁ ବାରମ୍ବାର ଆଗମନ, ନୂତନ ରଣନୀତି ଆଦି ଦେଖିବାକୁ ମିଳିଥିଲା । ମାତ୍ର ଚଳିତ ଥର ବିଜେପି ନିର୍ବାଚନ ଲଢ଼ୁଥିବା ଭଳି କାହାର ହୃଦବୋଧ ହୋଇନଥିଲା ।

Get real time updates directly on you device, subscribe now.