fbpx
BJD SKY
BJD SKY

ବିଜେପି ଜିତିବ ୨୦୨୪ ନିର୍ବାଚନ? ୫ଟି ରାଜ୍ୟର ଫଳାଫଳ ଦେଲା ୫ଟି ବଡ଼ ସନ୍ଦେଶ

BJD

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ୫ଟି ବଡ଼ ସନ୍ଦେଶ ଦେଇଛି । ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି । ଏହିସବୁ ରାଜ୍ୟମାନଙ୍କରେ ବିଜେପି କୌଣସି ନିର୍ବାଚନୀ ପ୍ରସଙ୍ଗ ରଖି ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ଅଭିଯାନର ନେତୃତ୍ୱ ନେଇଥିଲେ । ତେଣୁ ବିଜେପିର ଲୋକପ୍ରିୟତା ଆଦୌ ହ୍ରାସ ହୋଇ ନାହିଁ ତାହା ସଦ୍ୟ ପ୍ରକାଶିତ ଫଳାଫଳରୁ ସ୍ପଷ୍ଟ ହୋଇଛି ।

୧- ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ଟି ଆସନ ଜିତିଥିବା ବେଳେ ୨୦୨୪ରେ ପୁଣି ଥରେ ନିଜର ପ୍ରଦର୍ଶନ ବଳବତ୍ତର ରଖିବାର ସମ୍ଭାବନା ସୃଷ୍ଟି ହୋଇଛି । ୨୦୨୪ର ମେଗା ଫାଇଟ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ଫଳାଫଳରୁ ବିରୋଧୀମାନେ ଏକ ବଡ଼ ଶିକ୍ଷାଲାଭ କରିସାରିଥିବେ ।

୨- ଗୁଜରାଟ ପରି ମଧ୍ୟପ୍ରଦେଶରେ ମଧ୍ୟ ରାଜ୍ୟବାସୀ ବିଜେପିକୁ ବାରମ୍ବାର କ୍ଷମତାସୀନ କରାଉଛନ୍ତି । ଏହାର ଅର୍ଥ ହେଉଛି ଏହି ରାଜ୍ୟରେ ବିଜେପି ପ୍ରତି ଜନତାଙ୍କର ସମର୍ଥନ ଏବେ ବି ମଜବୁତ ରହିଛି । ଏଥିସହିତ ଦଳ ରାଜସ୍ଥାନ ଓ ଛତିଶଗଡ଼ ପରି କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇ ପାରିଛି ।

୩- ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢ଼ୁଥି୍ଲେ ହେଁ ତାହା ଧୀମା ରହିଥିବା ଦେଖାଯାଉଛି । ବିଜେପିକୁ ଏହିସବୁ ରାଜ୍ୟମାନଙ୍କରେ ରୋକିବା ପାଇଁ କଂଗ୍ରେସ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାରେ ଅକ୍ଷମ ହୋଇଥିଲା । କେବଳ ତେଲେଙ୍ଗାନା କଂଗ୍ରେସକୁ ଆଶ୍ୱସ୍ତି ଦେଇଛି ।

୪- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ପୂର୍ବ ଥର କ୍ଷମତାକୁ ଆସିଥିବା କଂଗ୍ରେସ ଚଳିତ ନିର୍ବାଚନରେ ପରାଜୟବରଣ ପରେ ଏବେ ଇଣ୍ଡିଆ ମହାମେଣ୍ଟରେ ନିଜର ପ୍ରଭାବ ହରାଇବାର ସମ୍ଭାବନା ରହିଛି । ଯଦି ୫ଟି ରାଜ୍ୟରେ କଂଗ୍ରେସ ଉଚ୍ଚକୋଟୀର ସଫଳତା ଅର୍ଜନ କରିଥାନ୍ତା ତେବେ ଆଗାମୀ ନିର୍ବାଚନ ପୂର୍ବରୁ ଦେଶରେ ଏକ ବଡ଼ ଧରଣର ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଥାନ୍ତା ।

୫- ନିକଟରେ କ୍ଷମତାକୁ ଆସିଥିବା ୩ଟି ରାଜ୍ୟରେ ବିଜେପି ୩ ଜଣ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଦଳ କେବଳ ଗୋଟିଏ ରାଜ୍ୟ କଥା ନ ଭାବି ସମଗ୍ର ଭାରତ ବର୍ଷରେ ରାଜ୍ୟ ସହ ରାଜ୍ୟର ଭୋଟରଙ୍କୁ ଯୋଡ଼ିବା ପାଇଁ ଯୋଜନା କରିଛି । ଏବେ ବି ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ ଲୋକପ୍ରିୟ ନେତା ଏହା ବିଜେପି ପୁଣି ଥରେ ପ୍ରମାଣ କରିପାରିଛି । ତେଣୁ ଏହି ଧାରାକୁ ୨୦୨୪ରେ ବଜାୟ ରଖିବାକୁ ବିଜେପି ନିଶ୍ଚିତ ପ୍ରୟାସ କରିବ ।

Get real time updates directly on you device, subscribe now.