fbpx
BJD SKY
BJD SKY

ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କୁ ଜେଲଦଣ୍ଡ: ୧୨ ବର୍ଷ ତଳର ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ

BJD

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେପିର ଜଣେ ସାଂସଦଙ୍କୁ ଜେଲଦଣ୍ଡ ଶୁଣାଣି କରିଛନ୍ତି ଅଦାଲତ । ୧୨ ବର୍ଷ ତଳର ଏକ ମାମଲାରେ ବିଜେପି ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ସାଂସଦଙ୍କୁ ୬ ମାସର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ ।

ସୂଚନା ମୁତାବକ, ଲକ୍ଷ୍ନୌର ଏକ ଅଦାଲତ ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ରୀତା ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ମାମଲା ଦାୟର ହୋଇଥିଲା । ଉକ୍ତ ମାମଲାରେ ରୀତାଙ୍କୁ ୬ ମାସର ଜେଲଦଣ୍ଡ ସହିତ ୧୧୦୦ ଟଙ୍କାର ଜରିମାନା ଲାଗୁ ହୋଇଛି । ଏମପି-ଏମଏଲଏ କୋର୍ଟର ସ୍ୱତନ୍ତ୍ର ଅତିରିକ୍ତ ନ୍ୟାୟିକ ମାଜିଷ୍ଟ୍ରେଟ ଏହି ଶୁଣାଣି କରିଥିଲେ ।

୨୦୧୨ ମସିହା ଫେବୃଆରୀ ମାସ ୧୭ ତାରିଖ ସନ୍ଧ୍ୟା ସମୟରେ ରୀତା କ୍ୟାଣ୍ଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଭାବେ ଆଚରଣ ସଂହିତା ଉଲ୍ଲଂଘନ କରି କୃଷ୍ଣା ନଗରର ବଜରଙ୍ଗ ନଗର ଅଞ୍ଚଳରେ ନିର୍ବାଚନ ପ୍ରଚାର କରୁଥିଲେ । ପ୍ରଚାର ସମୟ ସମାପ୍ତ ହେବା ପରେ ବି ସେ ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିଥିଲେ । ସେ ଉକ୍ତ ନିର୍ବାଚନରେ କ୍ୟାଣ୍ଟ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ଅଧିକାରୀଙ୍କୁ ଆଚରଣ ସଂହିତା ଉଲ୍ଲଂଘନ ଖବର ମିଳିବା ପରେ ଷ୍ଟେଟିକ ସର୍ଭିଲାନ୍ସ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ବୈଠକକୁ କ୍ୟାମେରାରେ ରେକର୍ଡ କରିଥିଲେ । ଏନେଇ କୃଷ୍ଣା ନଗର ଥାନାରେ ଏକ ମାମଲା ଦାୟର କରାଯାଇଥିଲା । ୨୦୨୧ ମସିହା ଫେବୃଆରୀ ୨୦ରେ ରୀତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୮୮ରେ ଅଭିଯୋଗ ଦାୟର କରାଯାଇଥିଲା । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ରୀତା କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ରୀତା ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏଚଏନ ବହୁଗୁଣାଙ୍କ ଝିଅ ।

Get real time updates directly on you device, subscribe now.