fbpx

ନେହରୁ-ଜିନ୍ନା ଭାରତକୁ ଦୁଇଭାଗ କରିଦେଲେ: BJP ଶେୟାର କଲା ଭିଡିଓ, ପାଲଟା ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ଏହି ଅବସରରେ ବିଜେପି ଏକ ଭିଡିଓ ଶେୟାର କରି ବିଭାଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଦାୟୀ କରିଛି । ଏହାକୁ ନେଇ କଂଗ୍ରେସ ବିଜେପି ଉପରେ ପାଲଟା ଆକ୍ରମଣ କରିଥିବା ଜଣାପଡ଼ିଛି ।

୧୯୪୭ର ଭାରତ ବିଭାଜନର ଘଟଣାବଳୀକୁ ବର୍ଣ୍ଣନା କରି ବିଜେପି ନେହରୁଙ୍କୁ ଦାୟୀ କରି ଭିଡିଓ ଶେୟାର କରିଛି । ଏହି ଭିଡିଓରେ ଅଭିଲେଖୀୟ ଫୁଟେଜ ଓ ବିଭାଜନର ନାଟକୀୟ ଦୃଶ୍ୟର ବ୍ୟବହାର କରାଯାଇଛି । ପାକିସ୍ତାନ ସୃଷ୍ଟି ପାଇଁ ଜିନ୍ନାଙ୍କ ନେତୃତ୍ୱାଧୀନ ମୁସଲିମ୍ ଲିଗ ପକ୍ଷରୁ କରାଯାଇଥିବା ଦାବି ଆଗରେ ନେହରୁ ମୁଣ୍ଡ ନୂଆଁଇଥିଲେ । ଏନେଇ ଉକ୍ତ ୭ ମିନିଟର ଭିଡିଓରେ ପ୍ରଦର୍ଶିତ କରାଯାଇଛି ।

ଗତ ବର୍ଷ ୧୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୪୭ ବିଭାଜନ ସମୟରେ ଭାରତୀୟଙ୍କ ସଂଘର୍ଷ ଓ ବଳିଦାନକୁ ମନେ ପକାଇଥିଲେ । ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରାଯିବ ବୋଲି ମୋଦୀ ଘୋଷଣା କରିଥିଲେ । ଆଜି ମୋଦୀ ଏନେଇ ଟ୍ୱିଟ୍ କରିଛନ୍ତି । ଭାରତ ବିଭାଜନ ପାଇଁ ପଞ୍ଜାବ ଓ ବଙ୍ଗର କିଛି ଅଧା ଅଂଶକୁ ନେଇ ନକ୍ସା ପ୍ରସ୍ତୁତ ହୋଇଥିଲା । ଉକ୍ତ ନକ୍ସସା ପ୍ରସ୍ତୁତ କରିଥିବା ସିରିଲ ଜନ ରେଡକ୍ଲିଫଙ୍କୁ ଭିଡିଓରେ ଦେଖାଯାଇଛି ।

ଯେଉଁମାନଙ୍କୁ ଭାରତର ସାଂସ୍କୃତିକ, ସଭ୍ୟତା, ମୂଲ୍ୟର ଜ୍ଞାନ ନଥିଲା, ସେମାନେ ଦେଶକୁ ଦୁଇ ଭାଗ କରିଦେଇଥିଲେ ବୋଲି ଭାଜପା ପକ୍ଷରୁ ଟ୍ୱିଟ୍ କରାଯାଇଛି । ତେବେ ଏହି ଭିଡିଓର ଜବାବ ଦେଇଛି କଂଗ୍ରେସ । ସଭରକର ଦୁଇ ରାଷ୍ଟ୍ର ସିଦ୍ଧାନ୍ତକୁ ଜନ୍ମ ଦେଇଥିଲେ, ତାହାକୁ ଜିନ୍ନା ପୂରା କରିଥିଲେ । ଯଦି ଦେଶକୁ ବିଭାଜନ କରାନଯିବ ତେବେ ଭାରତ ଅନେକ ଖଣ୍ଡରେ ବିଭକ୍ତ ହୋଇ ବର୍ବାଦ ହୋଇଯିବ ବୋଲି ସର୍ଦ୍ଦାର ପଟେଲ ଲେଖିଥିବା ସାଂସଦ ଜୟରାମ ରମେଶ କହିଛନ୍ତି ।

Get real time updates directly on you device, subscribe now.