fbpx

ଆଜିଠାରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ଫୋକସରେ ରହିବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ ହେଉଛି । ଏହି ଅବସରରେ ଦଳୀୟ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂ ତୋମାର, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇଟି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେବେ । ଏଥିରେ ମୁଖ୍ୟତଃ ସାଙ୍ଗଠନିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇପାରେ । ଏହାଛଡ଼ା କାର୍ଯ୍ୟକାରିଣୀରେ ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ନିଷ୍ପତ୍ତି ଗୃହୀତ ହେବ ବୋଲି ଜଣାପଡ଼ିଛି ।

ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଦଳକୁ କିଭଳି ସୁସଂଗଠିତ କରାଯିବ ସେ ନେଇ ନକ୍ସା ପ୍ରସ୍ତୁତ ହେବ । ଏହି ଅବସରରେ ରାଜ୍ୟରେ ଘଟିଯାଇଥିବା ପରୀ, ସୌମ୍ୟ, ମାହାଙ୍ଗା, ମମିତା ହତ୍ୟାକାଣ୍ଡକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.