fbpx

୧୨ ଜଣ ବିଜେପି ନେତା ଦଳରୁ ସସପେଣ୍ଡ: ଦଳ ବିରୋଧୀ କାର୍ଯ୍ୟ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଗୁଜରାଟ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ମହଙ୍ଗା ପଡ଼ିଛି ଦୁଇ ଡଜନ ନେତାଙ୍କୁ । ଏଥିପାଇଁ ୧୨ ଜଣ ବିଜେପି ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହି ନେତାମାନେ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ୁଥିଲେ । ତେଣୁ ରାଜ୍ୟ ବିଜେପି ପକ୍ଷରୁ ଏହି ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଦଳରୁ ସସପେଣ୍ଡ ହୋଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ମଧୁ ଶ୍ରୀବାସ୍ତବ । ଧବଲ ସିଂହ ଜାଲା, ଦିନେଶ ପଟେଲ ଓ ଅନ୍ୟମାନେ । କିଛିଦିନ ପୂର୍ବରୁ ରାଜ୍ୟ ବିଜେପିର ୭ ଜଣ ନେତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲଙ୍କ ନିର୍ଦ୍ଦେଶ ମତେ ଉକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେ ସମୟରେ ହର୍ଷଦଭାଈ ବସାବା, ଅରବନ୍ଦଭାଈ ଲଦାନୀ, ଛତ୍ରସିଂହ ଗୁଞ୍ଜାରିଆ, କେତନଭାଈ ପଟେଲ, ଭରତଭାଈ ଚାବଡ଼ା, ଉଦୟଭାଈ ଶାହ, କରଣଭାଈ ବରେୟାଙ୍କୁ ସସପେଣ୍ଡ କରାଯାଇଥିଲା ।

ଆସନ୍ତା ନିର୍ବାଚନରେ ବିଜେପି ୧୫୦ରୁ ଅଧିକ ସିଟରେ ବିଜୟୀ ହେବା ବୋଲି ଦାବି କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ ଟିକେଟ ବଣ୍ଟନଠାରୁ ଆରମ୍ଭ କରି ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବା ଦାୟିତ୍ୱରେ ରହିଛନ୍ତି । ଏସବୁ ପରେ ବି ଅନେକ ନେତା ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ସିଟରେ ଭୋଟ ହେବ ।

Get real time updates directly on you device, subscribe now.