ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଶ ରୋମାଞ୍ଚକର ହେବ । ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ ବିଜେପି ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । କ୍ରମାଗତ ୬ଷ୍ଠ ଥର ପାଇଁ ସରକାର ଗଠନ କରି ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଯୋଜନା କରୁଛି ବିଜେଡି ।
ଅନ୍ୟପକ୍ଷରେ ଗତ ୨୦୧୯ ନିର୍ବାଚନର ଫର୍ମୂଲା ରାଜ୍ୟରେ ଆପଣାଇପାରେ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ଏଥର ନିର୍ବାଚନ ଜିତିବା ସହିତ ସରକାର ଗଠନ ନେଇ ଆଶାବାଦୀ ରହିଛି । ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ରାଜ୍ୟ ବିଜେଡି ମୁକ୍ତ ହେବା ସହ ରାଜ୍ୟରେ ବିଜେପି ସରକାର ଗଢ଼ିବ । ରାଜ୍ୟ ସରକାର ଏବେ ଠିକ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁନାହାନ୍ତି । ତେଣୁ ଜନସାଧାରଣ ଏଥର ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ବାଛିବେ । ବରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା ଦୃଢ଼ତାର ସହିତ କହିଛନ୍ତି ମନମୋହନ ।
ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅଧିକ ସିଟ୍ ହାସଲ ନେଇ ପ୍ରସ୍ତୁତି ଚଳାଇଛି କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ସରକାର ଗଠନ କରିଥିଲା । କର୍ଣ୍ଣାଟକର ବିଜୟ ହାୱା ସାରା ଦେଶରେ ବହିବାକୁ ଲାଗିଥିଲା । ଓଡ଼ିଶାରେ ମଧ୍ୟ ଏଥର ବିଜେଡିକୁ ଗାଦିଚ୍ୟୁତ କରି କଂଗ୍ରେସ ସରକାର ଗଠନ କରିବ ବୋଲି ଆଶାବାଦୀ ରହିଛି । ଅଧିକାଂଶ ସମୟରେ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଲାଗି ରହୁଥିବା ବେଳେ ଏଥର ସମସ୍ତେ ଏକଜୁଟ ହୋଇ ଲଢ଼ିବେ ବୋଲି ଦଳର କିଛି ବରିଷ୍ଠ ନେତା ମତ ଦେଇଥିଲେ ।