fbpx

ପୋଲିସ ହାତରେ ପ୍ରାଣ ହରାଇଲେ ବିଜେପି ନେତା: ଆଇନ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ପାଟନା: ଆଇନର ସୁରକ୍ଷା ଦାୟିତ୍ୱ ହାତକୁ ନେଇଥିବା ପୋଲିସ ଡିପାର୍ଟମେଣ୍ଟ ଆଜି ସୁରକ୍ଷା ଯୋଗାଇବାରେ ଫେଲ ମାରିଛି । ବରଂ ପୋଲିସ ଡିପାର୍ଟମେଣ୍ଟ ହାତରେ ଚାଲିଯାଇଛି ଜଣଙ୍କ ଜୀବନ, ସେ ବି ଜଣେ ରାଜନେତାଙ୍କର । ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ମୃତ୍ୟୁର କାରଣ ପାଲଟିଛି ଦେଶର ଆଇନ ଅର୍ଥାତ୍ ଖୋଦ୍ ପୋଲିସ । ଯାହାକୁ ନେଇ ବର୍ତ୍ତମାନ ମାମଲା ସରଗରମ ହେବାକୁ ଲାଗିଲାଣି । ପୋଲିସର ମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଗାନ୍ଧୀ ମଇଦାନରୁ ବିଧାନସଭା ମାର୍ଚ୍ଚ ସମୟରେ ହଠାତ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ମାଡ଼ ବୃଷ୍ଟି କରିଥିଲା ପାଟନାର ପୋଲିସ ଡିପାର୍ଟମେଣ୍ଟ । କାର୍ଯ୍ୟକର୍ତ୍ତାମାନଙ୍କ ଉପରକୁ ଗ୍ୟାସ ମାଡ଼ କରିବା ସହ ଲାଠିଚାର୍ଜ ମଧ୍ୟ କରିଛି ପୋଲିସ । ତେବେ ଏହି ଲାଠିଚାର୍ଜରେ ଜହାନାବାଦର ଜିଲ୍ଲା ମହାମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିଂହ ଗୁରୁତର ଆହତ ହୋଇଥିଲେ । ତେବେ ଗମ୍ଭୀର ଆଘାତ ପରେ ତାଙ୍କୁ ପିଏମଏଚ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ସେ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲା ଏବେ ଏକ ବଡ ଉତ୍ତେଜନାର କାରଣ ପାଲଟିଛି । ବିଜେପି ବିଧାୟକ ସଞ୍ଜିବ ଚୌରାସିୟା କହିଛନ୍ତି ଯେ, ବିଜୟ ମୃତ୍ୟୁବରଣ କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରିଛି ବିହାର ସରକାର । ବିଜୟଙ୍କ ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ ଦେହରେ କୌଣସି ବାହ୍ୟ କ୍ଷତ ନଥିବା କୁହାଯାଇଛି । ସେପଟେ ବିଧାୟକ ବିନୟ ବିହାରୀ କହିଛନ୍ତି ଯେ, ଘଟଣା ସମୟରେ ବିଜୟଙ୍କ ସହ ସେ ଉପସ୍ଥିତ ରହିଥିଲେ । ଏହାବ୍ୟତୀତ ପୋଲିସ ଏବଂ ବିଜୟଙ୍କ ମଧ୍ୟରେ ଝଗଡା ହୋଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ପୋଲିସର ଏହି ଲାଠିଚାଳନାକୁ ନେଇ କ୍ଷୋଭ ପ୍ରକାଶ କରି ନିତିଶ ସରକାରଙ୍କୁ ଘେରିଛନ୍ତି ବିହାର ପ୍ରଭାରୀ ବିନୋଦ ତୱାଡ଼େ । ଏକ ଶାନ୍ତିପୂର୍ଣ୍ଣ ମୋର୍ଚ୍ଚାରେ ଯୋଗ ଦେଇଥିବା ଜନତାଙ୍କୁ ଏମିତି ଲାଠିମାଡ଼ ଘଟଣାକୁ ଗୁଣ୍ଡାଗର୍ଦ୍ଦି ତଥା ବିହାର ସରକାରଙ୍କ ଗୁଣ୍ଡାରାଜ ବୋଲି ସେ କହିଛନ୍ତି । ତେବେ ଏହି ଗୁଣ୍ଡାରାଜ ବିରୋଧରେ ଲୋକ ସଡ଼କକୁ ଓହ୍ଲାଇଲେ ସମସ୍ୟା ବୃଦ୍ଧି ହେବ ବୋଲି କହିଛନ୍ତି ବିହାର ପ୍ରଭାରୀ । ଏହି ଘଟଣଶକୁ ଧିକ୍କାର କରି ସେ ଏକ ଟ୍ୱିଟ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.